ୱାଶିଂଟନ୍,୪।୯ (ପି.ଟି.): କିର୍ଗିଜସ୍ଥାନର ବିଶ୍କେକ୍ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ଙ୍କ ମଧ୍ୟରେ ମଙ୍ଗଳବାର ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସାକ୍ଷାତ୍କାରର ଗୋଟିଏ ଦିନ ପରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ସ୍ପଷ୍ଟ କରିଛନ୍ତି ଯେ, ଆମେରିକାର କଟକଣାକୁ ଏଡ଼ାଇବା ପାଇଁ ଇରାନ୍କୁ କୌଣସି ଦେଶ ସାହାଯ୍ୟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
‘ଫକ୍ସ ନ୍ୟୁଜ୍ ରେଡିଓ’କୁ ଦେଇଥିବା ଏକ ସାକ୍ଷାତ୍କାରରେ ରୁବିଓ କହିଛନ୍ତି, ‘ମୋର ମନେହୁଏ ନାହିଁ ଯେ ଭାରତ ଓ ଇରାନ୍ ମଧ୍ୟରେ କୌଣସି ବ୍ୟବସାୟିକ ଚୁକ୍ତି ଚାଲିଛି। ପ୍ରତ୍ୟେକ ଦେଶ ନିଜର ବୈଦେଶିକ ନୀତି ନିଜେ ପ୍ରସ୍ତୁତ କରନ୍ତି ଏବଂ ବିଶ୍ୱର ଅନେକ ଦେଶ ଇରାନ୍ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ତେବେ ଇରାନ୍କୁ ଆର୍ଥିକ ଫାଇଦା ପହଞ୍ଚାଇବା ପାଇଁ ବେଆଇନ ବାଟ ଖୋଜୁଥିବା ଦେଶଗୁଡ଼ିକୁ ପରିଣାମ ଭୋଗିବାକୁ ପଡ଼ିବ। ସେହି ଦେଶଗୁଡ଼ିକ ଉପରେ ମଧ୍ୟ ଆମେରିକା କଟକଣା ଲଗାଇବ।’
ସୂଚନାଥାଉ କି ଏସ୍ସିଓ ସମ୍ମିଳନୀର ଏକ ବୈଠକରେ ମୋଦି ଓ ପେଜେସ୍କିଆନ୍ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଭାରତ ଦୀର୍ଘ ଦିନରୁ ଇରାନ୍ ସହ ସୁସମ୍ପର୍କ ରଖିଆସିଛି। ବିଶେଷକରି ଆଫଗାନିସ୍ତାନ ଓ ମଧ୍ୟ ଏସିଆକୁ ଯୋଗାଯୋଗ ପାଇଁ ଇରାନ୍ର ‘ଚାବାହାର ବନ୍ଦର’ ପ୍ରକଳ୍ପ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ଆମେରିକା ଏହି ପ୍ରକଳ୍ପ ପାଇଁ ଭାରତକୁ ବିଶେଷ ଛାଡ଼ ଦେଇଥିଲା। ତେବେ ଆମେରିକା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ରୁବିଓଙ୍କ ବକ୍ତବ୍ୟ ଭାରତ ବିରୋଧରେ କୌଣସି ପ୍ରତ୍ୟକ୍ଷ ଅଭିଯୋଗ ନୁହେଁ, ବରଂ ଏହା ଇରାନ୍ ସହ କାରବାର କରୁଥିବା ବିଶ୍ୱର ସମସ୍ତ ଦେଶ ପାଇଁ ଏକ ସାଧାରଣ ସତର୍କତା ବାର୍ତ୍ତା।
ହେଲେ ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଇରାନ୍ ସହ ନିଜର ସାମରିକ ଓ ଆର୍ଥିକ ସ୍ବାର୍ଥ ରକ୍ଷା କରିବା ସହ ଆମେରିକା ସହ ସମ୍ପର୍କ ସୁଦୃଢ଼ ରଖିବା ଭାରତ ପାଇଁ ଏକ ବଡ଼ କୂଟନୈତିକ ଚ୍ୟାଲେଞ୍ଜ ହୋଇଛି।