ୟୁକ୍ରେନ୍‌ ପାଇଁ ସହାୟତା ଘୋଷଣା କଲେ ଆମେରିକା-ବ୍ରିଟେନ…

ଓ୍ବାଶିଂଟନ/ଲଣ୍ଡନ/କ୍ୱିଭ୍‌,୨୪।୧୧ : ଆମେରିକା ୟୁକ୍ରେନକୁ ୪୦ କୋଟି ଡଲାରର ଏକ ସହାୟତା ପ୍ୟାକେଜ ପଠାଉଛି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ଏହି ନୂତନ ସହାୟତା ପ୍ୟାକେଜ ସମେତ ଫେବୃଆରୀ ୨୪ ରେ ରୁଷିଆ ଆକ୍ରମଣ ପରେ ଆମେରିକା ୟୁକ୍ରେନକୁ ୧୯ ବିଲିୟନ ଡଲାରରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ପଠାଇ ସାରିଛି।

ଏହି ସମୟ ମଧ୍ୟରେ ବ୍ରିଟେନ ମଧ୍ୟ ୟୁକ୍ରେନକୁ ଏକ ସହାୟତା ପ୍ୟାକେଜ ପଠାଇବ, ଯେଉଁଥିରେ ୧୦ ହଜାର ଅତିରିକ୍ତ ଆର୍ଟିଲିରି ଗୁଳିଗୋଳା ଅନ୍ତର୍ଭୁକ୍ତ। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ୱେଲ୍ସ ନରୱେ ଗସ୍ତ ସମୟରେ ଏହି ଘୋଷଣା କରିଛନ୍ତି। ବ୍ରିଟେନ ସରକାର କହିଛନ୍ତି ଯେ ଅତିରିକ୍ତ ଗୁଳିଗୋଳା ୟୁକ୍ରେନର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବ। ଏହା ବ୍ୟତୀତ ସି କିଙ୍ଗ ହେଲିକପ୍ଟରର ପ୍ରଥମ ବ୍ୟାଚ ୟୁକ୍ରେନକୁ ପ୍ରମୁଖ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯିବ। ୱେଲ୍ସ କହିଛନ୍ତି, ୟୁକ୍ରେନ ପାଇଁ ଆମର ସମର୍ଥନ ନିରନ୍ତର। ଅତିରିକ୍ତ ଆର୍ଟିଲିରି ରାଉଣ୍ଡ ୟୁକ୍ରେନକୁ ଲଢ଼େଇରେ ସାହାଯ୍ୟ କରିବ।

ସମ୍ପ୍ରତି ବ୍ରିଟେନ ଲେଜର-ଗାଇଡଡେଡ ବ୍ରେମଷ୍ଟୋନ କ୍ଷେପଣାସ୍ତ୍ରର ଏକ ଅପଡେଟ ମଡେଲ ୟୁକ୍ରେନକୁ ସାମରିକ ସହାୟତା ଭାବରେ ପଠାଇଛି, ଯାହା ପୂର୍ବ ଡିଜାଇନ ଠାରୁ ଦୁଇଗୁଣ ଅଧିକ ଶକ୍ତିଶାଳୀ।

Share