କୁଆଲାଲୁମ୍ପୁର,୨୫।୧୧: ସିଙ୍ଗାପୁର କମ୍ପାନୀ ମେଗାସ୍ପିଡ୍ ଇଣ୍ଟରନ୍ୟାଶନାଲର ପୂର୍ବତନ ଅଫିସର ଆଲିସ୍ ହୁଆଙ୍ଗ୍ଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ବିବାଦ ଦେଖାଦେବା ପରେ ଏନ୍ଭିଡିଆ ସିଇଓ ପଦରୁ ଜେନ୍ସେନ୍ ହୁଆଙ୍ଗ୍ ଇସ୍ତଫା ଦେଇଥିଲେ। ଆଲିସ୍ ଜଣେ ଚାଇନା ଗୁପ୍ତଚର ବୋଲି ସନ୍ଦେହ କରାଯାଉଥିଲା। ଜେନ୍ସେନ୍ଙ୍କ ଇସ୍ତଫା ପରେ ଓ୍ବାଲଷ୍ଟ୍ରିଟ୍ରେ ବଡ଼ ଧରଣର ହ୍ରାସ ଘଟିଥିଲା ଏବଂ ଏଆଇ ନିବେଶ ଉପରେ ଆମେରିକା ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଥିଲା। ଆମେରିକାର ମୁଖ୍ୟ ଚିପ୍ ନିର୍ମାତା କମ୍ପାନୀ ଏନ୍ଭିଡିଆକୁ ଜେନ୍ସେନ୍ ଫେରିଥିବାବେଳେ ଚାଇନାକୁ ଚିପ୍ ଚୋରାଚାଲାଣ ରୋକିବା ପାଇଁ ଆମେରିକା ପଦକ୍ଷେପ ନେବାକୁ ଯୋଜନା କରିଛି। ଏନ୍ଭିଡିଆ କେଳେଙ୍କାରୀର ମୁଖ୍ୟ ସିଙ୍ଗାପୁର କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଥିବାବେଳେ ଏହା ସହ ସହଯୋଗ କରିବାକୁ ସିଙ୍ଗାପୁର ମଙ୍ଗଳବାର ସହମତ ହୋଇଛି। ଜେନ୍ସେନ୍ଙ୍କ ଇସ୍ତଫା ଫଳରେ ଓ୍ବାଲଷ୍ଟ୍ରିଟ୍ରେ ବଡ଼ ହ୍ରାସ ଘଟିଥିବାବେଳେ ସେ ପୁନର୍ବାର ଫେରିବା ପରେ ବିଶ୍ୱ ଷ୍ଟକ୍ ବଜାରରେ ଉନ୍ନତି ଦେଖାଦେଇଛି। ଏନ୍ଭିଡିଆ ଶେୟାର ୩୧.୫ ପ୍ରତିଶତ ବୃଦ୍ଧି ପାଇବା ସହ ନାସ୍ଡାକ୍ ୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଜେନ୍ସେନ୍ ଜାତୀୟ ସୁରକ୍ଷା ପାଇଁ ବିପଦ ନୁହନ୍ତି ବୋଲି ଆମେରିକା ସରକାରଙ୍କଠାରୁ ସୂଚନା ପାଇବା ପରେ ଏନ୍ଭିଡିଆ ସୋମବାର ତାଙ୍କୁ ପୁନର୍ବାର ସିଇଓ ପଦରେ ଅବସ୍ଥାପିତ କରିଥିଲା। ଏହା ପରେ ଆମେରିକା ମେଗାସ୍ପିଡ୍କୁ ବାଣିଜି୍ୟକ କଳାତାଲିକାଭୁକ୍ତ କରିଛି। ଫଳରେ ଏହି କମ୍ପାନୀ ଅତ୍ୟାଧୁନିକ ଚିପ୍ କିଣିପାରିବ ନାହିଁ।
ଆମେରିକାର ଜାତୀୟ ସୁରକ୍ଷା କିମ୍ବା ବିଦେଶ ନୀତି ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବାରୁ ମେଗାସ୍ପିଡ୍ ଇଣ୍ଟରନ୍ୟାଶନାଲ ସହ ମାଲେସିଆ, ସିଙ୍ଗାପୁର ଓ ଥାଇଲାଣ୍ଡରେ ଥିବା ଏହାର ୪ଟି ସହଯୋଗୀ କମ୍ପାନୀକୁ ଆମେରିକା ବାଣିଜ୍ୟ ବିଭାଗର ଏଣ୍ଟିଟି ଲିଷ୍ଟରେ ସାମିଲ କରାଯାଇଛି। ଚାଇନାର ମୁଖ୍ୟ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଆଲିବାବାର ସହଯୋଗୀ ସିଙ୍ଗାପୁରର ଆପେକ୍ସ ଏଣ୍ଟପ୍ରାଇଜ୍ ସଲ୍ୟୁଶନ୍ସକୁ ମଧ୍ୟ ଏହି ତାଲିକାରେ ରଖାଯାଇଛି। ତାଲିକାଭୁକ୍ତ ହୋଇଥିବା ମେଗାସ୍ପିଡ୍ ସମେତ ୨ଟି ସ୍ଥାନୀୟ କମ୍ପାନୀକୁ ମିଶାଇ ମୋଟ ୭ କମ୍ପାନୀ ସହ ସମ୍ପର୍କ ଛିନ୍ନ କରିବାକୁ ମାଲେସିଆ ଡାଟା ସେଣ୍ଟର ଅପରେଟରମାନଙ୍କୁ କହିଛି। ସିଙ୍ଗାପୁର ସ୍ଥିତିର ଦୁରୁପଯୋଗ କରି ଚାଇନା କିମ୍ବା ଦକ୍ଷିଣପୂର୍ବ ଏସିଆର ଅନ୍ୟ ଦେଶଗୁଡ଼ିକୁ ବେଆଇନ ଭାବେ ଚିପ୍ ଚୋରାଚାଲାଣ ବନ୍ଦ କରିବା ଦିଗରେ ଆମେରିକା ସହ ମିଶି ସିଙ୍ଗାପୁର କାମ କରିବ ବୋଲି ଏହାର ପ୍ରଧାନମନ୍ତ୍ରୀ ଲରେନ୍ସ ଓ୍ବଙ୍ଗ୍ କହିଛନ୍ତି।