ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍‌ଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ। ହ୍ବାଇଟ ହାଉସ୍‌ କହିଛି ଯେ ୟୁକ୍ରେନ ଉପରେ କୌଣସି ଆକ୍ରମଣକୁ ସହ୍ୟ କରାଯିବ ନାହିଁ ଏବଂ ଏହାର ପ୍ରତିଶୋଧ ନିଆଯିବ।

ପ୍ରେସ ସଚିବ ଜେନ ପାସାକି ଏକ ବିବୃତ୍ତିରେ କହିଛନ୍ତି ଯେ ଯଦି ରୁଷିଆର ସାମରିକ ବାହିନୀ ୟୁକ୍ରେନ ସୀମା ଅତିକ୍ରମ କରନ୍ତି ତେବେ ଏହା ଏକ ଆକ୍ରମଣ ବୋଲି ବିବେଚନା କରାଯିବ। ଏଥିପାଇଁ ରୁଷିଆକୁ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡିବ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆକୁ ଏନେଇ ଚେତାବନୀ ଦେଇଛନ୍ତି ଯେ ଯଦି ରୁଷୀୟ ସୈନ୍ୟମାନେ ୟୁକ୍ରେନରେ ପ୍ରବେଶ କରନ୍ତି ତେବେ ରୁଷିଆକୁ ଆର୍ଥିକ ପ୍ରତିବନ୍ଧକ ଏବଂ ଅନ୍ୟାନ୍ୟ ପରିଣାମର ସମ୍ମୁଖୀନ ହେବାକୁ ପଡିବ। ୟୁକ୍ରେନ ପ୍ରସଙ୍ଗରେ ଉତ୍ତେଜନାକୁ ଦୂର କରିବା ପାଇଁ ପ୍ରୟାସର ଏକ ଅଂଶ ଭାବରେ ଆମେରିକା ଏବଂ ରୁଷିଆର ଅଧିକାରୀମାନେ ଗତ କିଛି ସପ୍ତାହ ଧରି ଆଲୋଚନା କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚୁକ୍ତିନାମା ହୋଇ ନ ଥିବା ଜଣାପଡିଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ୟୁକ୍ରେନ ଗସ୍ତ ମଧ୍ୟରେ ବାଇଡେନ ପ୍ରଶାସନ ବୁଧବାର କହିଛି ଯେ ରୁଷିଆର ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ୟୁକ୍ରେନକୁ ଅତିରିକ୍ତ ୨୦୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଦିଆଯିବ।

Share