ଟ୍ରମ୍ପଙ୍କୁ ଆଉ ଏକ ସୁପର୍‌ ଝଟ୍‌କା

ଓ୍ବାଶିଂଟନ୍‌,୬।୧୧: ଆମେରିକାରେ ମତଦାନର ଦୁଇ ଦିନ ପରେ ମଧ୍ୟ ରାଷ୍ଟ୍ରପତି ପଦବୀ ପାଇଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ଭୋଟ ଗଣତି ମଧ୍ୟରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ୨୫୩ ଭୋଟ ସହ ଆଗରେ ଅଛନ୍ତି। ଏଥି ସହିତ ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୧୪ ଭୋଟ ପଛରେ ପଡିଯାଇଛନ୍ତି। ସେପଟେ ଟ୍ରମ୍ପଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ନିର୍ବାଚନ ବିଭ୍ରାଟ ଅଭିଯୋଗରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯାନ ପକ୍ଷରୁ ମିଶିଗନ ଏବଂ ଜର୍ଜିଆରେ ଦାଖଲ ହୋଇଥିବା ମାମଲାକୁ ଆମେରିକା କୋର୍ଟ ଖାରଜ କରିଦେଇଛନ୍ତି। ମିଶିଗନରେ ଅନୁପସ୍ଥିତ ବାଲାଟ ଗଣନା (ଯେତେବେଳେ ଜଣେ ବ୍ୟକ୍ତିଗତ ଭାବରେ ମତଦାନ କେନ୍ଦ୍ରକୁ ଯାଆନ୍ତି ନାହିଁ କିନ୍ତୁ ଅନ୍ୟ ଉପାୟରେ ଭୋଟ ଦିଅନ୍ତି) ବନ୍ଦ କରିବାକୁ ଟ୍ରମ୍ପ ଅଭିଯାନ ଅନୁରୋଧ କରିଥିଲେ। ସେପଟେ ଜର୍ଜିଆରେ ଭୁଲ ଭୋଟ ଗଣନା କରାଯାଉଥିବା ଅଭିଯୋଗ ହୋଇଥିଲା ଯାହାକୁ କୋର୍ଟ ଖାରଜ କରିଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ ପଛରେ ପଡିବା ପରେ ତାଙ୍କ ସମର୍ଥକମାନେ ଅନେକ ରାଜ୍ୟରେ ଗଣନା କେନ୍ଦ୍ର ବାହାରେ ଏକାଠି ହୋଇଛନ୍ତି। ସମର୍ଥକମାନେ ଅନେକ ସ୍ଥାନରେ ଉତ୍ତେଜନା ଏବଂ ପ୍ରଦର୍ଶନ କରିଥିଲେ। ଆମେରିକୀୟ ଗଣମାଧ୍ୟମ ସଂଗଠନଗୁଡିକ ଆକଳନ କରିଛନ୍ତି ଯେ ଜିତିବା ପାଇଁ ବିଡେନଙ୍କୁ ମାତ୍ର ୬ରୁ ୧୭ଟି ଭୋଟ ଆବଶ୍ୟକ। ୨୭୦ ମୋଟ ନମ୍ବରଠାରୁ ଟ୍ରମ୍ପ ପ୍ରାୟ ୫୬ ଭୋଟ ଦୂରରେ ଅଛନ୍ତି।

Share