ରୁଷିଆକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି: କହିଲେ ଏଭଳି

ଓ୍ବାଶିଂଟନ,୧୯।୨: ୟୁକ୍ରେନ ସହ ରୁଷିଆ ମୁହାଁମୁହିଁ ସ୍ଥିତିରେ ରହିଛି। ଏହାକୁ ନେଇ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ରୁଷିଆକୁ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ କହୁଛନ୍ତି। ଏଭଳି ସମୟରେ ଆମେରିକା ରୁଷିଆକୁ ଚେତାବନୀ ମଧ୍ୟ ଦେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୋଟିଏ ପରେ ଗୋଟିଏ ଟୁଇଟ୍‌ କରି ରୁଷିଆକୁ ଚେତାବନୀ ଦେଇଛନ୍ତି। ଏଥିରେ ସେ କହିଛନ୍ତି, ଆମେ ସଂଘର୍ଷ ଚାହୁଁନାହୁଁ। ହେଲେ ୟୁକ୍ରେନ୍‌ ଉପରେ ଆକ୍ରମଣ ଲାଗି ରୁଷିଆର କାରଣ ଯଥାର୍ଥ ନୁହେଁ। ଏହାସତ୍ତ୍ୱେ ଯଦି ରୁଷିଆ ନିଜ ଯୋଜନା ଅପରିବର୍ତ୍ତିତ ରଖେ ତେବେ ସେ ଏକ ବିନାଶକାରୀ ଏବଂ ଅନାବଶ୍ୟକ ଯୁଦ୍ଧ ପାଇଁ ଦାୟୀ ହେବ।

କେବଳ ଏତିକି ନୁହେଁ ବାଇଡେନ୍‌ ଆହୁରି ମଧ୍ୟ ଲେଖିଛନ୍ତି, ଆମେ ୟୁକ୍ରେନ୍‌ରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଥିବା ରୁଷିଆ ଯୁଦ୍ଧବିମାନର ରିପୋର୍ଟ ଦେଖିଛୁ। ଏହା ଅସ୍ତ୍ରବିରତି ଉଲ୍ଲଂଘନ। ପୂର୍ବରୁ ରୁଷିଆ ଏଭଳି ଖେଳ ଖେଳୁଥିଲା। ଏଣୁ ଆମେରିକା ଏବଂ ଏହାର ସହଯୋଗୀମାନେ ୟୁକ୍ରେନବାସୀଙ୍କୁ ସମର୍ଥନ ଜାରି ରଖିବେ। ରୁଷିଆ ତାର କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ ହେବ। ଯଦି ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରେ ତେବେ ପାଶ୍ଚାତ୍ୟ ଦେଶମାନେ ତା’ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ। ଏବେ ବି ବିଳମ୍ବ ହୋଇନାହିଁ। ରୁଷିଆ କୁଟନୈତିକ ଉପାୟରେ ଏହି ସମସ୍ୟାର ସମାଧାନର ଉପାୟ ବାଛିପାରେ।

କହିରଖୁଛୁ, ୟୁକ୍ରେନ୍‌କୁ ତିନିପଟୁ ପ୍ରାୟ ୧୫୦,୦୦୦ ରୁଷିଆ ସୈନ୍ୟ ଘେରି ରହିଛନ୍ତି। ରୁଷିଆ ନିଜର ପ୍ରାୟ ୬୦% ସାମରିକ ବଳ ୟୁକ୍ରେନ ବିରୋଧରେ ନିୟୋଜିତ କରିଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ଆଶଙ୍କା କରୁଛନ୍ତି।

Share