ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଜେଲନସ୍କିଙ୍କୁ ଭେଟିବାକୁ ଗଲେ ବାଇଡେନ

କ୍ୱିଭ,୨୦ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଠିକ୍ ଏକ ବର୍ଷ ପୂରଣ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱିଭ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ସୋମବାର ୟୁକ୍ରେନରେ ପହଞ୍ଚି ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କିଙ୍କୁ ଭେଟିଛନ୍ତି । ସୂଚନାଯୋଗ୍ୟ, ରୁଷିଆ ୟୁକ୍ରେନ୍ ଉପରେ ୨୪ ଫେବୃୟାରୀ ୨୦୨୨ରେ ଆକ୍ରମଣ କରିଥିଲା । ଏହାପରଠାରୁ ପ୍ରଥମ ଥର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍ ପହଞ୍ଚିଛନ୍ତି ।
ବାଇଡେନଙ୍କ ଏହି ଗସ୍ତକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଆମେରିକା ଏବେ ପର୍ଯ୍ୟନ୍ତ ୟୁକ୍ରେନକୁ ସେନା ସହାୟତା ଯୋଗାଇ ଆସୁଛି । ବାଇଡେନ ମଧ୍ୟ ଅନେକ ଥର କହିଛନ୍ତି କି ତାଙ୍କ ଦେଶ ସବୁ ପରିସ୍ଥିତିରେ ୟୁକ୍ରେନ୍ ସହ ଠିଆ ହେବ । ଆଉ ସୋମବାର ବାଇଡେନଙ୍କ ୟୁକ୍ରେନ୍ ଗସ୍ତ କ୍ରେମଲିନର ରଣନୀତିକାରଙ୍କ ଚିନ୍ତା ବଢାଇ ଦେଇଛି ।

ୟୁକ୍ରେନ୍ ପହଞ୍ଚି ବାଇଡେନ ଯୁଦ୍ଧଗ୍ରସ୍ତ ଦେଶକୁ ଆହୁରି ସହାୟତା ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି କହିଛନ୍ତି ସେ ୟୁକ୍ରେନକୁ ଆହୁରି ଅସ୍ତ୍ରଶସ୍ତ୍ର ଯୋଗାଇ ଦେବେ । ୟୁକ୍ରେନର ରକ୍ଷା ପାଇଁ ଏୟାର ସର୍ଭିଲାଂସ ରାଡାର ଦେବାକୁ ଘୋଷଣା କରିଛନ୍ତି ।

Share