କ୍ୟାମେରା ସାମ୍ନାରେ କରୋନା ଟିକା ନେଲେ ଜୋ ବାଇଡେନ

ଓ୍ବାଶିଂଟନ, ୨୨।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନାକୁ ମାତ ଦେବା ପାଇଁ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଆମେରିକାର ଲୋକଙ୍କ ଉପରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ସୋମବାର ନିଜେ ଲାଇଭ୍‌ ଟିଭିରେ ଟିକା ନେଇଛନ୍ତି। ବାଇଡେନ ଟିକା ନେବା ବେଳେ ଏହାର ସିଧା ପ୍ରସାରଣ କରାଯାଇଛି। ନ୍ୟୁ ଜର୍ସିର ନ୍ୟୁୟର୍କଠାରେ ଥିବା ଖ୍ରୀଷ୍ଟିଆନା ହସ୍ପିଟାଲରେ ୭୮ ବର୍ଷିୟ ବାଇଡେନ ଫାଇଜର ଟିକା ନେଇଛନ୍ତି। ତାଙ୍କୁ ହସ୍ପିଟାଲର କର୍ମଚାରୀ ସ୍ବାସ୍ଥ୍ୟ ସେବାର ମୁଖ୍ୟ ତଥା ନର୍ସ ତାବେ ମାସା ଟିକାର ପ୍ରଥମ ଡୋଜ ଦେଇଛନ୍ତି। ଟିକା ନେବା ପରେ ବାଇଡେନ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।

ସେ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମୀଙ୍କୁ ପ୍ରଶଂସା କରି କହିଛନ୍ତି, ଲୋକମାନେ ଟିକା ନେବାକୁ ପ୍ରସ୍ତୁତ ହୁଅନ୍ତି ବୋଲି ବାର୍ତ୍ତା ଦେବା ପାଇଁ ଆଜି ମୁଁ ସର୍ବସମ୍ମୁଖରେ ଟିକା ନେଇଛି। ଟିକା ନେବାରେ କୌଣସି ଅସୁବିଧା ନାହିଁ। ଟିକାର ପାର୍ଶ୍ୱପ୍ରତିକ୍ରିୟା ପାଇଁ ଆଦୌ ବ୍ୟସ୍ତ ହେବା ଦରକାର ନାହିଁ।
ଏବେ ଆମେରିକାରେ ଜରୁରୀ କାଳୀନ ଭିତ୍ତିରେ ଟିକାକରଣ କରାଯାଉଛି। ଆସନ୍ତା ବର୍ଷ ଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ସମୂହ ଟିକାକରଣ ଆରମ୍ଭ ହେବ। ଏହାପୂର୍ବରୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ବାଇଡେନ ଏହାର ଡୋଜ ଗ୍ରହଣ କରି ସମସ୍ତଙ୍କୁ ସକାରାତ୍ମକ ବାର୍ତ୍ତା ଦେବାକୁ ଚାହିଁଛନ୍ତି।

Share