ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ

ଓ୍ବାଶିଂଟନ୍‌, ୧୭ା୩: ଭାରତୀୟ ବଂଶୋଦ୍ଭବ ଡା. ଆଶିଷ ଝାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ର କୋଭିଡ୍‌ ରେସ୍‌ପନ୍ସ କୋଅର୍ଡିନେଟର ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ମାସରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଆଶିଷ ଝା ବ୍ରାଉନ୍‌ ୟୁନିଭର୍ସିଟି ସ୍କୁଲ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଡିନ୍‌ ଅଛନ୍ତି। ବାଇଡେନ୍‌ଙ୍କ କୋଭିଡ-୧୯ ରେସ୍‌ପନ୍ସ ସଂଯୋଜକ ଜେଫ୍‌ ଜିଏଣ୍ଟସ୍‌ଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଥିବାରୁ ଆଶିଷ ଝାଙ୍କୁ ଏହି ପଦବୀ ମିଳିଛି। ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସେ ସମ୍ମାନିତ ମନେ କରୁଥିବା ଡା. ଝା କହିଛନ୍ତି। ଅନ୍ୟପଟେ ଆଶିଷ ଝା ଏହି ପଦବୀରେ ନିଯୁକ୍ତ ହେବା ପରେ ବାଇଡେନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଝା ହେଉଛନ୍ତି ଆମେରିକାର ଅନ୍ୟତମ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ତାଙ୍କର ବୁଦ୍ଧି ଏବଂ ଶାନ୍ତ ଉପସ୍ଥିତି ଯୋଗୁ ସେ ଜନସାଧାରଣଙ୍କ ସହ ଅନେକ ଆମେରିକୀୟଙ୍କ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସୂଚନା ମୁତାବକ, ୧୯୭୦ରେ ବିହାରର ପୁରସେଲିଆରେ ଆଶିଷ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୯ରେ କାନାଡା ଏବଂ ପରେ ୧୯୮୩ରେ ସଂଯୁକ୍ତ ରାଜ୍ୟ ଆମେରିକା ଯାଇଥିଲେ। ଝା ୧୯୯୨ରେ କଲମ୍ବିଆ ୟୁନିଭର୍ସିଟିରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ୧୯୯୭ରେ ସେ ହାଭାର୍ଡ ମେଡିକାଲ ସ୍କୁଲରୁ ଏମ୍‌.ଡି ଉପାଧି ଗ୍ରହଣ କରିଥିଲେ।

Share