ଆମେରିକା ପାଇଲଟ ଚାଇନା ସୈନ୍ୟଙ୍କୁ ଦେଉଥିଲେ ତାଲିମ, ଅଷ୍ଟ୍ରେଲିଆରୁ ଗିରଫ…

ବେଜିଂ/ଓ୍ବାଶିଂଟନ,୨୬।୧୦ : ଚାଇନାରେ କାର୍ଯ୍ୟ କରୁଥିବା ଆମେରିକାର ଜଣେ ପୂର୍ବତନ ଯୁଦ୍ଧ ବିମାନ ପାଇଲଟଙ୍କୁ ଅଷ୍ଟ୍ରେଲିଆରୁ ଗିରଫ କରାଯାଇଛି। ଏହି ଆମେରିକୀୟ ପାଇଲଟ ଚାଇନାର ବାୟୁସେନା ପାଇଲଟମାନଙ୍କୁ ବିମାନ ପ୍ରଶିକ୍ଷକ ଭାବରେ ତାଲିମ ଦେଉଥିଲେ। ଆମେରିକାର ଅନୁରୋଧ କ୍ରମେ ଏହି ପୂର୍ବତନ ପାଇଲଟଙ୍କୁ ଗିରଫ କରାଯାଇଛି ବୋଲି ଅଷ୍ଟ୍ରେଲିଆ କହିଛି। ବର୍ତ୍ତମାନ ତାଙ୍କୁ ଆମେରିକାକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି।

ଅଷ୍ଟ୍ରେଲୀୟ ପୋଲିସର ସୂଚନାନୁସାରେ, ଡାନିଏଲ ଏଡମୁଣ୍ଡ ଦୁଗ୍ଗନ ନାମକ ଏହି ପାଇଲଟଙ୍କୁ ଶୁକ୍ରବାର ନ୍ୟୁ ସାଉଥ ୱେଲ୍ସର ଅରେଞ୍ଜଠାରୁ ଗିରଫ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ତାଙ୍କ ଜାମିନ ନାମଞ୍ଜୁର କରି ତାଙ୍କୁ ଜେଲକୁ ପଠାଇ ଦେଇଥିଲେ। ଅଷ୍ଟ୍ରେଲୀୟ ପୋଲିସ ବର୍ତ୍ତମାନ ଆନୁଷ୍ଠାନିକ ଭାବେ ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ କରିବା ଲାଗି ଉଦ୍ୟମ କରୁଛି।

ଫେଡେରାଲ ଆଟର୍ନି ଜେନେରାଲ ବିଭାଗ କହିଛି ଯେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ଏଫବିଆଇ ପାଇଲଟଙ୍କୁ ଗିରଫ କରିବାକୁ ଅନୁରୋଧ କରିଛି। ଚାଇନାରେ କାର୍ଯ୍ୟ କରୁଥିବା ୧୨ରୁ ଅଧିକ ଜଣ ପୂର୍ବତନ ବ୍ରିଟେନ ସାମରିକ ପାଇଲଟ ତାଲିମ ଦେଉଥିବା ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ବ୍ରିଟେନ କହିଥିଲା ଯେ ଯଦି ଏହି ଲୋକମାନେ ଚାଇନା ପାଇଁ କାମ ବନ୍ଦ ନକରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାଇନା କାମ କରିବାକୁ କିଛି ପୂର୍ବତନ ଯୁଦ୍ଧ ବିମାନ ପାଇଲଟଙ୍କ ନିକଟକୁ ଆସିଥିବା ଖବରର ଅଷ୍ଟ୍ରେଲିଆ ମଧ୍ୟ ଅନୁସନ୍ଧାନ କରୁଛି।

Share