ଓ୍ବାଶିଂଟନ୍‌ ଡିସିକୁ ପୁଣି ଫେରିଲା ମାସ୍କ

ଓ୍ବାଶିଂଟନ୍‌, ୩୦।୭: ଆମେରିକାରେ କରୋନା ପ୍ରକୋପ ପୁଣି ଥରେ ବଢ଼ିବାରେ ଲାଗିଛି। ଲଗାତର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୱାଶିଂଟନ ଡିସିରେ ଜୁଲାଇରେ ଦୈନିକ ମାମଲା ୫ଗୁଣା ଅଧିକ ରହିଛି ବୋଲି ଡିସିର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲାକ୍ୱାନ୍ଦ୍ରା ନେସ୍‌ବିଟ୍‌ ସୂଚନା ଦେଇଛନ୍ତି। ତେଣୁ ଡିସିରେ ପୁଣି ଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କୌଣସି ବ୍ୟକ୍ତି କରୋନା ଟିକା ନେଇଥାନ୍ତୁ ଅବା ନ ନେଇଥାନ୍ତୁ କିନ୍ତୁ ସମସ୍ତଙ୍କୁ ଘର ଭିତରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆମେରିକା ରାଜଧାନୀ ଓ୍ବାଶିଂଟନ୍‌ର ମେୟର ମ୍ୟୁରିିଏଲ ବୋଓସର ଘୋଷଣା କରିଛନ୍ତି। ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନୂଆ ଆଦେଶ ଅନୁଯାୟୀ, ଶନିବାର ସକାଳ ୫ଟାରୁ ଦୁଇ ବର୍ଷରୁ ଅଧିକ ବୟସ୍କର ସମସ୍ତ ଡିସି ବାସିନ୍ଦାଙ୍କୁ, ଟିକାକରଣ ସ୍ଥିତିକୁ ଖାତିର ନ କରି ଘର ଭିତରେ ଅବା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି। ଏଥିସହ ଡିସି ସରକାରୀ କର୍ମଚାରୀଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ କରାଯାଇଛି। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ମ୍ୟୁରିଏଲ୍‌ କହିଛନ୍ତି, ମହାମାରୀ ଯୋଗୁ ବହୁ ଜିନିଷରେ ପରିବର୍ତ୍ତନ ଆସିଛି, ତା’ ସହ ସମସ୍ତଙ୍କୁ ଖାପ ଖୁଆଇ ଚଳିବାକୁ ପଡିବ। ଅନ୍ୟପଟେ ୫ରୁ ୧୪ ବର୍ଷ ବୟସ୍କ ପିଲା ଏବଂ ୨୦ ରୁ ୩୪ ବର୍ଷର ବୟସ୍କଙ୍କ ନିକଟରେ କରୋନା ମାମଲା ଅଧିକ ବୃଦ୍ଧି ପାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲାକ୍ୱାନ୍ଦ୍ରା କହିଛନ୍ତି। କାରଣ ଏହି ବୟସ୍କର ବ୍ୟକ୍ତିମାନେ ଅତ୍ୟଧିକ ବାହାରେ ବୁଲାବୁଲି କରିବା ସହ ବାହାରେ ଖାଦ୍ୟ ଖାଉଛନ୍ତି ଏବଂ ସେମାନଙ୍କର ସାମାଜିକ ଗିତିବିଧି ଅଧିକ ରହିଛି। ତେଣୁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମତ ଦେଇଛନ୍ତି।

Share