ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ ସୋମବାର କହିବା ପରେ ବିଳମ୍ବିତ ରାତିରେ ଆମେରିକୀୟ ସେନା ଇରାନ ଉପରେ ଜୋର୍‌ଦାର ଆକ୍ରମଣ କରିଥିଲା। ଏହାର ଜବାବରେ ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ ଆକ୍ରମଣ କରିଛି। ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ଏବଂ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଇନ୍ଧନ ପରିବହନ ପଥ ହର୍ମୁଜ୍‌କୁ ମୁକ୍ତ କରିବା ପାଇଁ ୨ ଦେଶ ମଧ୍ୟରେ ସ୍ବାକ୍ଷର ହୋଇଥିବା ଅନ୍ତରୀଣ ବୁଝାମଣା ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଛି। ଏବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ବ୍ୟାପିବା ପହ ବିଶ୍ୱ ଅର୍ଥନୀତି ପାଇଁ ପୁନର୍ବାର ବିପଦ ସୃଷ୍ଟି କରିଛି। ଯଦି ତୁରନ୍ତ କୂଟନୈତିକ ସମାଧାନ ସୂତ୍ର ନ ବାହାରେ, ତେବେ ଯୁଦ୍ଧ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
ଯୁଦ୍ଧ ପୂର୍ବରୁ ବିଶ୍ୱର ଏକ-ପଞ୍ଚମାଂଶ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ପରିବହନ ହେଉଥିବା ହର୍ମୁଜ୍‌ ଜଳପଥ ଏବେ ବିବାଦର କେନ୍ଦ୍ରବିନ୍ଦୁ ସାଜିଛି। ଯୁଦ୍ଧ ସମୟରେ ଇରାନ ଜାହାଜଗୁଡ଼ିକୁ ଆକ୍ରମଣ କରି ଓ ଧମକ ଦେଇ ଏହି ଜଳପଥକୁ ବନ୍ଦ କରିଦେଇଥିଲା। ଫଳରେ ବିଶ୍ୱ ବଜାରରେ ତୈଳ ସମେତ ସାର ଓ ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। ହର୍ମୁଜ୍‌କୁ ବନ୍ଦ କରିବା ଇରାନ ପାଇଁ ସବୁଠୁ ବଡ଼ ରଣନୀତିକ ଫାଇଦା ପ୍ରମାଣିତ ହୋଇଥିଲା। କାରଣ ଦର ନିୟନ୍ତ୍ରଣ ପାଇଁ ବିଶ୍ୱ ନେତାମାନେ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଉପରେ ଚାପ ପକାଇଥିଲେ। ଗତ ମାସରେ ସ୍ବାକ୍ଷର ହୋଇଥିବା ଅନ୍ତରୀଣ ଚୁକ୍ତିନାମା ବଳରେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ହର୍ମୁଜ୍‌ ଜାହାଜ ଚଳାଚଳ ପାଇଁ ମୁକ୍ତ ରହିବ ବୋଲି କୁହାଯାଉଥିଲା। ତେବେ ଇରାନ ହର୍ମୁଜ୍‌ ଉପରେ ନିଜର ନିୟନ୍ତ୍ରଣ ଜାହିର କରିବା ଓ ସେହି ଜଳପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିବା ଫଳରେ ସ୍ଥିତି ପୁଣି ଜଟିଳ ରୂପ ନେଇଛି। ଆମେରିକା ଏବେ ବଳ ପ୍ରୟୋଗ କରି ହର୍ମୁଜ୍‌ ଖୋଲିବାକୁ ଧମକ ଦେଇଛି। ତେବେ ଏଥିପାଇଁ ବହୁତ ବଡ଼ ନୌସେନା ବାହିନୀ କିମ୍ବା ଇରାନ ମାଟିରେ ଅନେକ ହଜାର ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ଟ୍ରମ୍ପ୍‌ ପୂର୍ବଭଳି ପୁଣିଥରେ ପଛଘୁଞ୍ଚା ଦେଇପାରନ୍ତି ବୋଲି କୁହାଯାଉଛି।
ସୋମବାର ବିଳମ୍ବିତ ରାତିରେ ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା, ମିଶାଇଲ୍‌ ଓ ଡ୍ରୋନ୍‌ ସାଇଟ୍‌ ଏବଂ ସାମୁଦ୍ରିକ ସାମର୍ଥ୍ୟକୁ ଟାର୍ଗେଟ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଇଥିଲା ବୋଲି ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ କହିଛି। ଇରାନ ଆକ୍ରମଣକୁ ସ୍ବୀକାର କରିଥିବାବେଳେ କେତେଜଣ ମୃତାହତ ହୋଇଛନ୍ତି ଓ କେତେ କ୍ଷୟକ୍ଷତି ଘଟିଛି, ତାହା ଜଣାଇ ନାହିଁ। ଆକ୍ରମଣ ଜାରି ରହିବା ସହ ଇରାନ ସେନାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ନିରୀହ ନାଗରିକ ଓ ବ୍ୟବସାୟିକ ଜାହାଜ ଉପରେ ତେହରାନ୍‌ର ଆକ୍ରମଣ ସାମର୍ଥକୁ କମାଇ ଦିଆଯିବ ବୋଲି ଆମେରିକା ସେନା କହିଛି। ଆମେରିକା ଆକ୍ରମଣର ଜବାବରେ ଇରାନ ପଡ଼ୋଶୀ ବାହାରିନ୍‌ ଓ ଜୋର୍ଡାନ ଉପରେ ଆକ୍ରମଣ କରିବା ସହ ହର୍ମୁଜ୍‌ ଜଳପଥ ଦେଇ ଯାଉଥିବା ୩ଟି ଜାହାଜକୁ ଆକ୍ରମଣ କରିଛି। ଇରାନର ଆଞ୍ଚଳିକ ଜଳସୀମା ବାହାର ଓମାନ ଉପକୂଳ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ତେହରାନ୍‌ ଟାର୍ଗେଟ କରିଆସୁଛି।

Odisha’s No.1 Odia Daily

Share