ନୂଆଦିଲ୍ଲୀ,୨୯।୫: ପଶ୍ଚିମ ଏସିଆର ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆଉ ଏକ ଭାରତୀୟ ଟ୍ୟାଙ୍କର ହର୍ମୁଜ ଷ୍ଟ୍ରେଟ ପାର୍ କରିସାରିଛି । ସାମୁଦ୍ରିକ ପରିବହନ ଉପରେ ନଜର ରଖୁଥିବା ଅନେକ ୱେବସାଇଟ ଏହି ସୂଚନା ଦେଇଛନ୍ତି । ‘ନିସୋସ କେରୋସ’ ନାମକ ଏହି ଜାହାଜଟି ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଛି । ଆସନ୍ତା ଜୁନ ୩ ସୁଦ୍ଧା ଏହା ସେଠାରେ ପହଞ୍ଚିବାର ସମ୍ଭାବନା ରହିଛି ।
ମାର୍ଶାଲ ଆଇଲ୍ୟାଣ୍ଡର ପତାକା ଥିବା ଏହି ଜାହାଜଟି ମେ’ ୨୧ ତାରିଖରେ ଶାରଜାହରୁ ବାହାରିଥିଲା। ଭାରତୀୟ ସମୟ ଅନୁସାରେ ଶୁକ୍ରବାର ସକାଳ ୬ଟାରେ ଏହାକୁ ଭାରତର ପଶ୍ଚିମ ଉପକୂଳ ନିକଟସ୍ଥ ଉତ୍ତର ଆରବ ସାଗରରେ ଦେଖିବାକୁ ମିଳିଥିଲା । ଜାହାଜଗୁଡ଼ିକର ସୂଚନା ରଖୁଥିବା ସଂସ୍ଥା ’ଅକ୍ଭିସର’ (Okviser) ଅନୁଯାୟୀ, ବିଶାଖାପାଟଣା ଆସୁଥିବା ଜାହାଜ ‘ନିସୋସ କେରୋସ’ର ମାଲିକ ହେଉଛନ୍ତି ଅରେଥୁସା ସିପିଙ୍ଗ କର୍ପୋରେସନ । ଏହାର ପରିଚାଳନା କିକ୍ଲେଡ୍ସ ମ୍ୟାରିଟାଇମ କର୍ପୋରେସନ କରୁଛି । ଏହି ଜାହାଜଟି ୩୩୩ ମିଟର ଲମ୍ବା ।
ଇରାନର ସମ୍ବାଦ ସରବରାହ ସଂସ୍ଥା ଗୁରୁବାର ସୂଚନା ଦେଇଛି ଯେ, ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଗତ ୨୪ ଘଣ୍ଟା ମଧ୍ୟରେ ୨୩ଟି ବାଣିଜ୍ୟିକ ଜାହାଜକୁ ହୋଇ ହର୍ମୁଜ ଷ୍ଟ୍ରେଟ ଦେଇ ଯିବାକୁ ଅନୁମତି ଦେଇଛି, ଯେଉଁଥିରେ ତେଲ ଟ୍ୟାଙ୍କର ଏବଂ କଣ୍ଟେନର ଜାହାଜ ସାମିଲ ଅଛି ।
ରିପୋର୍ଟରେ କୁହାଯାଇଛି ଯେ, ଇରାନ ସେନା ମୁତାବକ ସମସ୍ତ ଜାହାଜର ଚଳାଚଳ ଆଇଆରଜିସି (IRGC) ଅଧିକାରୀଙ୍କ ସହ ଆନୁଷ୍ଠାନିକ ବୁଝାମଣା ପରେ ହୋଇଛି । ତେବେ ହର୍ମୁଜ ଦେଇ ଗତି କରିବା ପାଇଁ ଜାହାଜଗୁଡ଼ିକୁ କୌଣସି ଟୋଲ (ଟ୍ୟାକ୍ସ) ଦେବାକୁ ପଡ଼ିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଇରାନ ପୂର୍ବରୁ ହିଁ କହିସାରିଛି ଯେ ସେ ହର୍ମୁଜ ଷ୍ଟ୍ରେଟ ଦେଇ ଯାଉଥିବା ଜାହାଜଗୁଡ଼ିକ ଠାରୁ ଟୋଲ ଆଦାୟ କରିପାରେ ।