ଆମେରିକା ପାଖରେ ବହୁ ରହସ୍ୟମୟ ମାନବବିହୀନ ୟୁଏଫଓ ବିମାନ: ଗୁପ୍ତଚର ଅଧିକାରୀଙ୍କ ଆଶ୍ଚର୍ଯ୍ୟଜନକ ଦାବି…

ଓ୍ବାଶିଂଟନ,୭।୬ : ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟସ ଅର୍ଥାତ ୟୁଏଫଓ ସବୁବେଳେ ବିଶ୍ୱ ପାଇଁ ରହସ୍ୟ ହୋଇ ରହିଆସିଛି। ବର୍ତ୍ତମାନ ଜଣେ ଆମେରିକୀୟ ଅବସରପ୍ରାପ୍ତ ଇଣ୍ଟେଲିଜେନ୍ସ ଏବଂ ଏୟାରଫୋର୍ସ ଅଧିକାରୀ ଦାବି କରିଛନ୍ତି ଆମେରିକା ପାଖରେ ଏପରି ଅନେକ ମାନବ ବିହୀନ ବିମାନ ଅଛି ଯାହା ୟୁଏଫଓ ସହିତ ଜଡିତ। ତାଙ୍କ କହିବାନୁସାରେ, ଆମେରିକା ଏଭଳି ଅନେକ ବିମାନ ପାଇଛି ଏବଂ ପରେ ସେଗୁଡ଼ିକୁ ଲୁଚାଇ ରଖିଛି। ଅନେକ ଥର ଆମେରିକା ୟୁଏଫଓ ସମ୍ବନ୍ଧରେ ଏପରି ଦାବି କରିଆସୁଛି, ଯାହା ବିଷୟରେ ପ୍ରତ୍ୟେକ ଥର ବିଭିନ୍ନ ଆଶା ଆଶଙ୍କା ବଢ଼ିଛି । ପ୍ରତ୍ୟେକ ଥର ଆମେରିକୀୟ ଗଣମାଧ୍ୟମରେ ୟୁଏଫଓ ବିଷୟରେ ଏପରି ଖବର ଆସିଛି, ଯାହା ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ ।

ଆମେରିକାର ବାୟୁସେନାରୁ ଅବସର ନେଇଥିବା ୩୬ ବର୍ଷିୟ ଡେଭିଡ ଗ୍ରୁଶ ନ୍ୟୁଜ ୱିକକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ୟୁଏଫଓ ସହ ଜଡିତ ଆମେରିକା ପକ୍ଷରୁ ଏକ ଗୁପ୍ତ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଅଧୀନରେୟୁଏଫଓ ଧ୍ୱଂସାବଶେଷ ମିଳିଛି। ସେ କହିଛନ୍ତି ଆମେରିକା ପୁଣିଥରେ ଏହି ବୈଷୟିକ ଯାନ ପାଇବାକୁ ଚେଷ୍ଟା କରୁଛି ଯାହାକୁ ମହାକାଶଯାନ ମଧ୍ୟ କୁହାଯାଇପାରେ। ସେ କହିଛନ୍ତି ଏହି ମାନବ ବିହୀନ ଯାନଗୁଡ଼ିକ ଅବତରଣ କରିଛି କିମ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ପାଇଲଟମାନେ ମଧ୍ୟ ଏହାର ଧ୍ୱଂସାବଶେଷ ଦେଖିବାକୁ ପାଇଛନ୍ତି।

ଏହା କଳ୍ପନାଜଳ୍ପିତ ମନେହୁଏ କିନ୍ତୁ ଏହା ସତ୍ୟ ବୋଲି ସେ ଦାବି କରିଛନ୍ତି। ଗ୍ରୁଶ ଟାସ୍କଫୋର୍ସର ଏକ ଅଂଶ ଥିଲେ ଯାହା ୟୁଏଫଓ ସହିତ ଜଡ଼ିତ ଥିଲା। ସେ ଆଫଗାନିସ୍ତାନ ଯୁଦ୍ଧରେ ମଧ୍ୟ ଭାଗ ନେଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଏକ ରିପୋର୍ଟରେ କୁହାଯାଇଥିଲା ୨୦୨୨ ମସିହାରେ ୫୧୦ ୟୁଏଫଓ ଦେଖାଯାଇଥିଲା। ୨୦୨୧ ବର୍ଷ ତୁଳନାରେ ଏହି ସଂଖ୍ୟା ୩୬୬ପଏଣ୍ଟ ଅଧିକ ଥିଲା। ଏଥିମଧ୍ୟରୁ କେବଳ ୧୭୧ ଅସାଧାରଣ ବିମାନ ବୈଶିଷ୍ଟ୍ୟ କିମ୍ବା କାର୍ଯ୍ୟଦକ୍ଷତା କ୍ଷମତା ପ୍ରଦର୍ଶନ କରୁଥିବା ଜଣା ପଡିଛି ବୋଲି ରିପୋର୍ଟରେ କୁହାଯାଇଥିଲା। ବାକିଗୁଡ଼ିକ ବେଲୁନ ପରି ୟୁନିଟ ଥିଲା, ଯାହା ବିଷୟରେ ଅଧ୍ୟୟନ ଚାଲିଛି ।

Share