ବେଜିଂ ଅଲିମ୍ପିକ୍ସର କୂଟନୈତିକ ବହିଷ୍କାର କଲା ଆମେରିକା…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଏକ ବଡ ଘୋଷଣା କରିଛନ୍ତି। ଚାଇନାରେ ୨୦୨୨ରେ ହେବାକୁୂଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ବହିଷ୍କାର କରିବ। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ୍‌ ସାକି କହିଛନ୍ତି ଯେ ବେଜିଂରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଗେମ୍ସରେ ବାଇଡେନ୍‌ ପ୍ରଶାସନ କୌଣସି ସରକାରୀ କିମ୍ବା କୂଟନୈତିକ ପ୍ରତିନିଧିଙ୍କୁ ନ ପଠାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଜିନଜିଆଙ୍ଗ ପ୍ରଦେଶ ତଥାଅନ୍ୟ ଅଞ୍ଚଳରେ ଚାଇନାର ମାନବିକ ଅଧିକାରର ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଆମେରିକା ଏହି ନିଷ୍ପତ୍ତି ନେଇଛି। ଦୁଇ ମାସ ପରେ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଆମେରିକା ଦ୍ୱାରା ଏପରି ନିଷ୍ପତ୍ତି ନିଆଯିବାର ସମ୍ଭାବନା ବହୁ ପୂର୍ବରୁ ଅନୁମାନ କରାଯାଉଥିଲା। ଯେହେତୁ ଆମେରିକା କେବଳ କୂଟନୈତିକସ୍ତରରେ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି, ଆଶା କରାଯାଉଛି ଯେ ଶୀତକାଳୀନ ଅଲିମ୍ପିକ୍ସରେ ଭାଗ ନେବାକୁ ଆମେରିକା ଏହାର ଖେଳାଳିଙ୍କୁ ପଠାଇ ପାରିବ।

ଗତ ମାସରେ ଆମେରିକାର ରାଷ୍ଟ୍ରପତି ସୂଚନା ଦେଇଥିଲେ। ଆମେରିକାର ରାଷ୍ଟ୍ରପତି ବାଇଡେନ ଗତ ମାସରେ କହିଥିଲେ ଯେ ଚାଇନା ମାନବିକ ଅଧିକାର ରେକର୍ଡକୁ ବିରୋଧ କରୁଥିବାରୁ ଏଭଳି କୂଟନୈତିକ ବହିଷ୍କାର ଉପରେ ବିଚାର କରାଯାଇଛି। ପୂର୍ବରୁ ୧୯୮୦ରେ ଆମେରିକା ମସ୍କୋ ଅଲିମ୍ପିକ୍ସକୁ ସଂପୂର୍ଣ୍ଣ ଭାବେ ବହିଷ୍କାର କରିଥିଲା

ଶୀତକାଳୀନ ଅଲିମ୍ପିକ ଗେମ୍ସକୁ ବହିଷ୍କାର କରିବାକୁ ଆମେରିକାର ନିଷ୍ପତ୍ତି ନେଇ ଚାଇନା ଏହାର ପ୍ରତିବାଦ କରି କହିଛି ଯେ ଫେବୃଆରୀରେ ଶୀତକାଳୀନ ଅଲିମ୍ପିକ ଗେମ୍ସକୁ କୂଟନୈତିକ ବହିଷ୍କାର କଲେ ବେଜିଂ ଏହାର ପ୍ରତିଶୋଧ ନେବ। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ କହିଛନ୍ତି ଯେ ଯଦି ଆମେରିକା ଏଭଳି କରେ ତେବେ ଏହା କୂଟନୈତିକସ୍ତରରେ ଉତ୍ତେଜନାମୂଳକ କାର୍ଯ୍ୟ ସାବ୍ୟସ୍ତ ହେବ।

 

Share