ଭାରତକୁ ୩୮୦୦କୋଟିର ସହାୟତା କରିବ ଆମେରିକା! ରୁଷିଆ ଅସ୍ତ୍ର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଉଦ୍ୟମ

ଓ୍ବାଶିଂଟନ୍‌,୧୮।୫: ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଆମେରିକା ବର୍ତ୍ତମାନ ଏକ ବଡ ପଦକ୍ଷେପ ଗ୍ରହଣ କରିପାରେ। ଭାରତକୁ ୫୦୦ମିଲିୟନ ଡଲାର ତଥା ପ୍ରାୟ ୩,୮୦୦କୋଟି ଟଙ୍କାର ସାମରିକ ସହାୟତା ଯୋଗଇଦେବାକୁ ଚିନ୍ତା କରୁଛି ଆମେରିକା। ଏତେ ପରିମାଣର ଅର୍ଥ ଦେବା ପଛରେ ଆମେରିକାର ଉଦ୍ଦେଶ୍ୟ ହେଉଛି ଭାରତ ସହିତ ଏହାର ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା। ଏନେଇ ବୁଧବାର ବ୍ଲୁମବର୍ଗ ପକ୍ଷରୁ କୁହାଯାଇଛି। ଯଦି ଭାରତକୁ ଏହି ରାଶି ମିଳେ, ତେବେ ଇସ୍ରାଏଲ ଏବଂ ଇଜିପ୍ଟ ପରେ ଆମେରିକାରୁ ସର୍ବବୃହତ ସାମରିକ ସହାୟତା ମିଳୁଥିବା ଦେଶରେ ପରିଣତ ହେବ। ଆମେରିକାର ଅସନ୍ତୋଷକୁ ଅଣଦେଖା କରି ଯେତେବେଳେ ଭାରତ ରୁଷିଆର ମିଶାଇଲ୍‌ ଡିଫେନ୍ସ ସିଷ୍ଟମ ଏସ୍‌-୪୦୦କୁ ମୁତୟନ କରିବାକୁ ଯାଉଥିବା ସମୟରେ ଏହି ଖବର ସାମ୍ନାକୁ ଆସିଛି। ଅନ୍ୟପଟେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସହାୟତା ପଛରେ ଆମେରିକାର ଉଦ୍ଦେଶ୍ୟ ଭାରତ ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା। କାରଣ ଭାରତ ହେଉଛି ରୁଷିଆ ଅସ୍ତ୍ରଶସ୍ତ୍ରର ସବୁଠାରୁ ବଡ଼ କ୍ରେତା ବୋଲି ବ୍ଲୁମବର୍ଗ କହିଛି।

Share