ୟୁକ୍ରେନ ପାଇଁ ୩୦୦ ନିୟୁତ ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରୀ ଅସ୍ତ୍ରଶସ୍ତ୍ର ଯୋଗାଇ ଶକ୍ତିଶାଳୀ ରୁଷିଆ ସାମନାରେ ଆମେରିକା ଦୁର୍ବଳ ୟୁକ୍ରେନକୁ ସାହାଯ୍ୟ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ବୁଧବାର ପୁଣି ଥରେ ୟୁକ୍ରେନକୁ ୩୦୦ ନିୟୁତ ଆମେରିକୀୟ ଡଲାରର ସୁରକ୍ଷା ସହାୟତା ଘୋଷଣା କରିଛି।

ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏକ ବିବୃତ୍ତିରେ କହିଛନ୍ତି,ରୁଷିଆର ନିର୍ଦ୍ଦୟ, ବର୍ବର ତଥା ଅଯୌକ୍ତିକ ଯୁଦ୍ଧରେ ୟୁକ୍ରେନ ସାହସର ସହିତ ନିଜକୁ ରକ୍ଷା କରିବା ଜାରି ରଖିଛି। ଯୁଦ୍ଧ ଶେଷ ନହେବା ପର୍ଯ୍ୟନ୍ତ ଆମେରିକା ଏବଂ ଅନ୍ୟ ସହଯୋଗୀମାନେ ୟୁକ୍ରେନ ସହିତ ମିଳିତ ଭାବେ କାର୍ଯ୍ୟ କରିବେ। ଗତ ମାସରେ ଆମେରିକା ଏକ ପ୍ୟାକେଜରେ ୟୁକ୍ରେନକୁ ୩୨୫ ନିୟୁତ ଆମେରିକୀୟ ଡଲାରର ନୂତନ ସାମରିକ ସହାୟତା ଘୋଷଣା କରିଥିଲା। ଯେଉଁଥିରେ ହାଇ ମୋବିଲିଟି ଆର୍ଟିଲିରି ରକେଟ ସିଷ୍ଟମ ପାଇଁ ଅଧିକ ଆର୍ଟିଲିରି ରାଉଣ୍ଡ ଏବଂ ରକେଟ ଅନ୍ତର୍ଭୁକ୍ତ ହେବ ବୋଲି ଆଶା କରାଯାଉଛି।

Share