କଙ୍ଗନାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଉର୍ମିଳା

ମୁମ୍ବାଇ,୧୭ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ପଙ୍ଗା ନେବାରେ ଖୁବ୍ ମାହିର ଏହି ଅଭିନେତ୍ରୀ । ଏବେ ତାଙ୍କର ବଲିଉଡ୍ ସହ ପଙ୍ଗା ଚାଲିଛି ବୋଲି ଆଲୋଚନା ହେଉଛି । ଏହାସହ ଏବେ ଯୋଡି ହୋଇଯାଇଛନ୍ତି ବଲିଉଡ୍‌ର ଆଉ ଜଣେ ନାୟିକା ଉର୍ମିଳା ମାତୋଣ୍ଡକର । ଡ୍ରଗ୍ସ ମାମଲାକୁ ନେଇ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି ଉର୍ମିଳା । କିଛିଦିନ ପୂର୍ବେ କଙ୍ଗନା କହିଥିଲେ ବଲିଉଡ୍‌ରେ ୯୯ ପ୍ରତିଶତ ଲୋକ ଡ୍ରଗ୍ସ ନିଅନ୍ତି । ଏହାପରଠାରୁ କଙ୍ଗନାଙ୍କ ଏହି ବୟାନକୁ ନେଇ ଚାଲିଛି ଆଲୋଚନା । ଏବେ ଏହାକୁ ନେଇ ଉର୍ମିଳା କହିଛନ୍ତି କଙ୍ଗନା ଇଣ୍ଡଷ୍ଟ୍ରିର ଭଲ ଚିନ୍ତା କରିବା କଥା । ସେ ଯାହା କହିଛନ୍ତି ୯୯ ପ୍ରତିଶତ ଲୋକ ଡ୍ରଗ୍ସ ନିଅନ୍ତି ବୋଲି ସେ ଅତିକମ୍‌ରେ ସେହି ବଡ ବଡ ଲୋକଙ୍କ ନାଁ ଖୋଲିକରି କୁହନ୍ତୁ ଯେଉଁମାନଙ୍କର ଡ୍ରଗ୍ସ ଲିଙ୍କ ରହିଛି । ସମସ୍ତଙ୍କୁ ଏକଥା ଜାଣିବା ଉଚିତ । ଆଉ କଙ୍ଗନା ଯଦି ସେମାନଙ୍କ ନାଁ କୁହନ୍ତି ତେବେ ମୁଁ ପ୍ରଥମ ଅଭିନେତ୍ରୀ ଭାବେ ତାଙ୍କୁ ସହଯୋଗ କରିବି ବୋଲି ଉର୍ମିଳା କହିଛନ୍ତି । ପୂର୍ବରୁ ଉର୍ମିଳା କହିଥିଲେ କଙ୍ଗନା ମନେ ରଖିବା ଉଚିତ ତାଙ୍କ ହୋମ୍ ଟାଉନ ହିମାଚଳ ଡ୍ରଗ୍ସ କାରବାରର ଆଡ୍ଡା ସ୍ଥଳି । ଉର୍ମିଳା ଆହୁରି ମଧ୍ୟ କହିଛନ୍ତି କଙ୍ଗନାଙ୍କୁ ଟ୍ୟାକ୍ସ୍ସପେୟରଙ୍କ ଟଙ୍କାରୁ ୱାଇପ୍ଲସ ସୁରକ୍ଷା ଦିଆଯାଉଥିବା ବେଳେ ସେ ପୋଲିସକୁ କାହିଁଙ୍କି ଡ୍ରଗ୍ସ ଲିଙ୍କ ବିଷୟରେ ସୂଚନା ଦେଉନାହାନ୍ତି । ତେଣୁ ସେ ଏଭଳି କଥା କହି କେବଳ ମୁମ୍ବାଇ ନୁହେଁ ସେଠାକାର ବାସିନ୍ଦାଙ୍କର ଅପମାନ କରୁଛନ୍ତି ବୋଲି ଉର୍ମିଳା କହିଛନ୍ତି ।

Share