ଚିନି ଭାବି ଖାଇଦେଲେ ୟୁରିଆ ସାର: ଆଈଙ୍କ ସହ ୩ ନାତିନାତୁଣୀ ଗୁରୁତର

ଦେବଗଡ଼,୨୨ା୭(ଡି.ଏନ୍‌.ଏ.): ଚିନି ଭାବି ୟୁରିଆ ସାର ଖାଇଦେବାରୁ ଜଣେ ବୃଦ୍ଧାଙ୍କ ସହ ୩ ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ବମ୍ପରଡା ଗ୍ରାମରେ।

ସୂଚନା ଅନୁଯାୟୀ, ବମ୍ପରଡା ଗ୍ରାମର ସନ୍ତୋଷ ବେହେରାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଘରକୁ ଗାଁରେ ରହୁଥିବା ଝିଅ କୁନ୍ତଳା, ତୋପଇ ଏବଂ ଅନୁଗୋଳ ଜିଲାର ପୁଡାଗଡ଼ ଗ୍ରାମରେ ରହୁଥିବା ଝିଅ କୈକେୟୀ ମଧ୍ୟ ଆସିଥିଲେ। ଶୁକ୍ରବାର ଧାନ ରୁଆ କାର୍ଯ୍ୟକ୍ରମ ରହିଥିବାରୁ ୩ ଝିଅ କୁନ୍ତଳା, ତୋପଇ ଓ କୈକେୟୀ ମା’ ଯମୁନା(୬୦)ଙ୍କ ପାଖରେ ପିଲାଛୁଆଙ୍କୁ ଛାଡି ବାପାଙ୍କ ସହ ଚାଷ ଜମିକୁ ଯାଇଥିଲେ ା ଏହି ସମୟରେ କୁନ୍ତଳାଙ୍କ ପୁଅ ପିଙ୍କୁ ବେହେରା(୫ବର୍ଷ),କୈକେୟୀଙ୍କ ଝିଅ ସୁଷମା ଗୋଚ୍ଛାୟତ(୧୫ ମାସ) ଓ ତୋପଇଙ୍କ ଝିଅ ଅରୁଣି ବେହେରା(୧୩ ମାସ) ଚିନି ଭାବି ଘରେ ଥିବା ବସ୍ତାରୁ ୟୁରିଆ ସାର ଚୁଡାରେ ପକାଇ ଖାଇ ଦେଇଥିଲେ। ତେବେ ଚୁଡା ପିତା ଲାଗିବାରୁ ଆଇ ଯମୁନାଙ୍କୁ ଘଟଣା ସମ୍ପର୍କରେ ଜଣାଇ ବାନ୍ତି କରିଥିଲେ। ଆଇ ଯମୁନା ପିଲାମାନେ ଖାଉଥିବା ଚୁଡାରୁ ପରୀକ୍ଷା ମୂଳକ ଭାବେ ଖାଇ ସେ ମଧ୍ୟ ବାନ୍ତି କରିଥିଲେ ା

ସେତିକିବେଳେ କୁନ୍ତଳା, ତୋପଇ ଓ କୈକେୟୀ ଖାଇବା ପାଇଁ ଘରକୁ ଆସିବାରୁ ଛୁଆମାନେ ଚିନି ଭାବି ୟୁରିଆ ସାର ଖାଇଦେଇଥିବା ଜାଣିବାକୁ ପାଇଥିଲେ। ଫଳରେ ଆଇ ଯମୁନା ଏବଂ ୩ ନାତିନାତୁଣୀଙ୍କୁ ଚିକିତ୍ସା ନିମନ୍ତେ ବମ୍ପରଡା ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲାମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।