ସହରାଞ୍ଚଳ ସମନ୍ବିତ ମୋ ସେବା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୩୧।୧୨ (ବ୍ୟୁରୋ): ସରକାରୀ ସେବା ତଥା କାର୍ଯ୍ୟ ପାଇଁ ରାଜଧାନୀବାସୀଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ଗୋଟିଏ ଛାତ ତଳେ ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟକୁ ସୁବିଧାରେ ସମ୍ପାଦନ କରିପାରିବେ। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ରାଜ୍ୟ ଆଇଟି ବିଭାଗର ସହଯୋଗରେ ବାପୁଜୀନଗରଠାରେ ‘ସହରାଞ୍ଚଳ ସମନ୍ବିତ ମୋ ସେବା କେନ୍ଦ୍ର’ ସ୍ଥାପନ କରାଯାଇଛି। ଏହାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏଠାରେ କୃଷକ ପଞ୍ଜୀକରଣଠାରୁ ଆରମ୍ଭ କରି ଶ୍ରମ କାର୍ଡର ଆବେଦନ ଓ ନବୀକରଣ ସୁବିଧା, ଜନ୍ମ ମୃତ୍ୟୁ ପ୍ରମାଣପତ୍ର, ରାଶନକାର୍ଡ ଆବେଦନ/ସଂଶୋଧନ, ଅଗ୍ନି ଲାଇସେନ୍ସ, ବିଦ୍ୟୁତ୍‌ ବିଲ୍‌ ପୈଠ, ନୂତନ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ, ହୋଲ୍ଡିଂ/ସମ୍ପତ୍ତି କର ପୈଠ, ମଧୁବାବୁ ପେନ୍‌ସନ୍‌ ଯୋଜନା ସମେତ ବିଏମ୍‌ସିଠାରୁ ଆରମ୍ଭ କରି ତହସିଲ ପର୍ଯ୍ୟନ୍ତ ରହିଥିବା ୪ଶହରୁ ଊର୍ଦ୍ଧ୍ୱ ସେବା ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ସେହିପରି ବିଭିନ୍ନ ସେବା ପାଇଁ ୩ ଟଙ୍କାରୁ ୩୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ। ମୋ ସେବା କେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଓ ୨ଟି ଆଧାର କାଉଣ୍ଟର ରହିଛି।
ବିଶିଷ୍ଟ ଏହି କୋଠାରେ ‘ମୋ ସେବା’ କେନ୍ଦ୍ର, ଇ-ଲାଇବ୍ରେରି ଓ ରିକ୍ରିଏଶନ ସେଣ୍ଟର ରହିଛି। ଇ-ଲାଇବ୍ରେରିରେ ୩୦ଟି କମ୍ପ୍ୟୁଟର ରହିଛି। ଏକ ସମୟରେ ୩୦ଜଣ ଏହି ଲାଇବ୍ରେରିକୁ ବ୍ୟବହାର କରିପାରିବେ। ସହରରେ ‘ମୋ ସେବା କେନ୍ଦ୍ର’ ପ୍ରତିଷ୍ଠା ପାଇଁ ବିଏସ୍‌ସିଏଲ, ଆଇଟି ବିଭାଗ ଏବଂ ‘ସହଜ’ ସହିତ ଏକ ତ୍ରିପାକ୍ଷିକ ଚୁକ୍ତିନାମା କରାଯାଇଛି। ଇ-ସେବା ପ୍ରଦାନ ପାଇଁ ଓଡିଶା ସରକାରଙ୍କ ୫-ଟି ପଦକ୍ଷେପ ଅନୁଯାୟୀ ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲଓ୍ବନ ସିଂହ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଓକାକ୍‌ ସାଧାରଣ ପରିଚାଳିକା ଓ ‘ସହଜ’ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।