Categories: ଜାତୀୟ

ୟୁପିଏସ୍‌ସି ପରୀକ୍ଷା: ଓଭର ଏଜ୍‌ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ,୨୪।୨: ୟୁପିଏସ୍‌ସି ପରୀକ୍ଷା ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଝଟ୍‌କା ଲାଗିଛି। ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ସମୟରେ ପରୀକ୍ଷା ଦେଇଥିବା ଓଭର ଏଜ୍‌ ପ୍ରାର୍ଥୀଙ୍କୁ ଆଉ ଅତିରକ୍ତ ସୁଯୋଗ ମିଳିବନି ବୋଲି କୋର୍ଟ ବୁଧବାର କହିଛନ୍ତି। ଏହା ସହିତ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପୂର୍ବରୁ ଫେବୃୟାରୀ ୫ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାର୍ଥୀଙ୍କୁ ଏକ ଅତିରକ୍ତ ସୁଯୋଗ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଥିଲେ। ତେବେ ବୟସ ସୀମା ସର୍ତ୍ତ ରଖିଥିଲେ। ପ୍ରାର୍ଥୀଙ୍କ ପକ୍ଷରୁ ବୟସ ରିହାତି ପାଇଁ ଫେବୃୟାରୀ ୯ରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା। ମାତ୍ର ବିଚାରପତି ଏ.ଏମ୍‌.ଖାନିଓ୍ବିଲ୍‌କରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି। ପୂର୍ବରୁ ଜାନୁୟାରୀ ୨୫ରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଓଭର ଏଜ୍‌ ପ୍ରାର୍ଥୀଙ୍କୁ ଅତିରିକ୍ତ ସୁଯୋଗ ନ ଦେବାକୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ବୟସ ଥିବା ପ୍ରାର୍ଥୀଙ୍କୁ ସୁଯୋଗ ପ୍ରଦାନ ପାଇଁ ଏହି ପ୍ରସଙ୍ଗରେ କୋର୍ଟ ପକ୍ଷରୁ ମୌଖିକ ଭାବେ ପରାମର୍ଶ ଦିଆଯାଇଥିଲା।

Share