ଉପୁଡ଼ିଲା ଗଛ, ଉଡ଼ିଲା ଛପର

ଢେଙ୍କାନାଳ ଅଫିସ/ କାମାକ୍ଷାନଗର (ଡି.ଏନ୍‌.ଏ.), ୨୦ା୫: ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ଛପର ଉଡ଼ିଯାଇଛି।
ଦିନତମାମ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ଅପରାହ୍ନରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବୋହିବା ଆରମ୍ଭ କରିଥିଲା। ଏଥିସହ କୁଆପଥର ସହ ମୂଷଳ ଧାରାରେ ବର୍ଷା ମଧ୍ୟ ହୋଇଥିଲା। ଝଡ଼ତୋଫାନରେ ରଥଗଡ଼ା-ଜେଲ୍‌ ରାସ୍ତାରେ ଗଛ ଡାଳ ଭାଙ୍ଗି ପଡ଼ିଛି। ଖମାର ସାହିରେ ଥିବା ଜଗନ୍ନାଥ ମାର୍ବଲ ଶୋ’ ରୁମ୍‌ର ଟିଣ ଛପର ଉଡ଼ିଯାଇଛି। ଏଥିରେ ମାର୍ବଲ ନଷ୍ଟ ହୋଇଥିବା ଶୋ’ରୁମ୍‌ ମାଲିକ ସୁକାନ୍ତ ମିଶ୍ର କହିଛନ୍ତି। ଅନ୍ୟପଟେ ଝଡ଼ବର୍ଷା କାରଣରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଆବଶ୍ୟକ ମରାମତି ପରେ ରାତି ୮ଟାରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଛି।
ସେହିପରି କାମାକ୍ଷାନଗରରେ ଅପରାହ୍ନ ସାଢ଼େ ୩ଟାରେ କାଳବୈଶାଖୀ ତାଣ୍ଡବ ସୃଷ୍ଟି କରିଥିଲା। ଏଥିରେ ସ୍ଥାନୀୟ ଶିଶୁ ମନ୍ଦିରର ଟିଣ ଛପର ଉଡ଼ିଯାଇଛି। ମୁଖ୍ୟ ବଜାର, ଗୁପ୍‌ଚୁପ୍‌ ମାର୍କେଟ୍‌, କଲେଜ ଛକ ରାସ୍ତାରେ ଗଛ ଉପୁଡ଼ି ବିଦ୍ୟୁତ୍‌ ତାର ଉପରେ ପଡ଼ିଥିଲା। ଫଳରେ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଇଥିଲା। ବିଭାଗୀୟ କର୍ମଚାରୀ ଗଛ କାଟି ଗମନାଗମନ ଚଳାଚଳ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ କାଳବୈଶାଖୀ ବର୍ଷା ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିଛି। ପ୍ରାୟ ସପ୍ତାହେ ହେଲା ଅସହ୍ୟ ଗ୍ରୀଷ୍ମପ୍ରବାହରେ ଜିଲାବାସୀ ସନ୍ତୁଳି ହେଉଥିବାବେଳେ ପାରଦ ଖସିଛି।