ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ ହଟାଇ ଦିଆଯାଉଛି। ଏଥିରେ ଜବରଦଖଲରେ ରହିଥିବା ଉଠା ଦୋକାନଠାରୁ ଆରମ୍ଭ କରି କୁଡ଼ିଆ ଘର, କୋଠାବାଡ଼ି ଆଦି ଉଚ୍ଛେଦ ହେଉଛି। ତେବେ ଏଥିରେ ଗରିବ, ଖଟିଖିଆ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ସେମାନେ ବାସହରା ହୋଇପଡ଼ୁଥିବା ବେଳେ ସେମାନଙ୍କୁ ସେମାନଙ୍କ ଜୀବିକା ମଧ୍ୟ ହରାଇବାକୁ ପଡୁଛି। ଫଳରେ ପରିବାର ଗୁଜରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡୁଛି। ବିନା ଥଇଥାନରେ ତ ଉଚ୍ଛେଦ ଚାଲିଛି। ମାତ୍ର ଉଚ୍ଛେଦ ପରେ ଥଇଥାନ କରାଯାଉ ନ ଥିବାରୁ ଗରିବ, ଖଟିଖିଆଙ୍କ ସମସ୍ୟା ଆହୁରି ବଢ଼ିଯାଉଛି। ଏହାକୁ ନେଇ ଉଚ୍ଛେଦରେ ପ୍ରଭାବିତ ଗରିବ, ଖଟିଖିଆଙ୍କ ମଧ୍ୟ ଅସନ୍ତୋଷ ତେଜି ଉଠିଛି।
ଏହି କ୍ରମରେ ବୁଧବାର ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୭ରେ ରହୁଥିବା ଉଚ୍ଛେଦ ପ୍ରଭାବିତ ଲୋକେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଥଇଥାନ ବ୍ୟବସ୍ଥା କରିବା ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଘରଦ୍ୱାର କରି ୧୫ ପରିବାର ବିଶିପଡ଼ାରେ ରହୁଥିଲେ। ତେବେ ପୌର ପ୍ରଶାସନ ରାସ୍ତାଠାରୁ ୧୦ ଫୁଟ୍ ପର୍ଯ୍ୟନ୍ତ ଜବରଦଖଲ ଅଂଶକୁ ଉଚ୍ଛେଦ କରାଯିବ ବୋଲି ସୂଚନା ଦେଇଥିଲା। କିନ୍ତୁ ତା’ଠାରୁ ଅଧିକ ଅଂଶ ଉଚ୍ଛେଦ କରାଯିବା ଯୋଗୁ ସେମାନେ ରହୁଥିବା ଘରଦ୍ୱାର ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି ବୋଲି ଉଚ୍ଛେଦ ପ୍ରଭାବିତ ଲୋକେ କହିଛନ୍ତି। ଏଭଳି ସ୍ଥିତିରେ ସେମାନେ ପିଲାଛୁଆଙ୍କ ସହିତ ବସବାସ କରିବା ମଧ୍ୟ ଦୁର୍ବିଷହ ହୋଇ ପଡ଼ିଥିବା ସେମାନେ ପ୍ରକାଶ କରିଛନ୍ତି। ଉଚ୍ଛେଦ ପରେ ପିଲାଛୁଆ ଧରି ଖୋଲା ଆକାଶତଳେ ଖରାତାତି ସହ୍ୟ କରି ସେମାନଙ୍କୁ ରହିବାକୁ ପଡୁଥିବାବେଳେ ରୋଷେଇ ଏବଂ ଅନ୍ୟ ନିତ୍ୟକର୍ମରେ ସେମାନଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଉଚ୍ଛେଦ ପ୍ରଭାବିତ କହିଛନ୍ତି। ଫଳରେ ସେମାନଙ୍କୁ ଥଇଥାନ କରିବା ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ପଦ୍ମାଳୟା ସିଂ, ଚିତ୍ର ସିଂ, ପିଙ୍କି ତାଣ୍ଡିଙ୍କ ସମେତ ଅନେକ ଉଚ୍ଛେଦ ପ୍ରଭାବିତ ଲୋକେ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ, କେବଳ ଏହି ଉଚ୍ଛେଦ ପ୍ରଭାବିତ ନୁହନ୍ତି, ଏଭଳି ଅନେକ ଉଚ୍ଛେଦ ପ୍ରଭାବିତ ଅନୁରୂପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଚ୍ଛେଦ ପରେ ବିଶେଷ କରି ଗରିବ, ଖଟିଖିଆ, ଉଠାଦୋକାନୀଙ୍କ ସମସ୍ୟା ବଢ଼ିଯାଇଛି। ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଥଇଥାନ ବ୍ୟବସ୍ଥା କରାଯାଇ ନ ଥିବାରୁ ଉଚ୍ଛେଦରେ ପ୍ରଭାବିତ ଲୋକେ ରୋଜଗାର ମଧ୍ୟ ହରାଇ ବସିଛନ୍ତି ଏବଂ ସେମାନଙ୍କ ଦୁଃଖ ବଢ଼ିଯାଇଛି। ଫଳରେ ସେମାନଙ୍କ ଥଇଥାନ ଦିଗରେ ମଧ୍ୟ ପ୍ରଶାସନ ପକ୍ଷରୁ ତ୍ୱରିତ୍ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।