Categories: ଜାତୀୟ

ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୨୪ ଛାତ୍ର ଅଟକ, ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜେଏନ୍‌ୟୁ, ଜାମିଆ ପରେ ଏବେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ହଙ୍ଗାମା ହୋଇଛି। ଶୁକ୍ରବାର ବିଶ୍ୱବିଦ୍ୟାଳୟର କଳା ବିଭାଗ ବାହାରେ ଅସନ୍ତୋଷର ବାତାବରଣ ଦେଖାଯାଇଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ମୋଟ ୨୪ଜଣଙ୍କୁ ଅଟକ କରିଛି। ଏହାଛଡ଼ା ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି।

କଂଗ୍ରେସର ଛାତ୍ର ସଂଗଠନ ଏନ୍‌ଏସ୍‌ୟୁଆଇ ଶୁକ୍ରବାର ଡିୟୁରେ ଡକ୍ୟୁମେଣ୍ଟାରୀ ଦେଖାଇବାକୁ ଘୋଷଣା କରିଥିଲା। ଏଥିଯୋଗୁ ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିଲେ। ପୂର୍ବରୁ ଡକ୍ୟୁମେଣ୍ଟାରୀକୁ ନିଷିଦ୍ଧ କରାଯାଇଥିବା ବେଳେ ଏହାକୁ ଦେଖାଇବାକୁ ନେଇ କିଛି ଏନ୍‌ଏସ୍‌ୟୁ ଛାତ୍ର ଏବଂ ସଦସ୍ୟଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି।

ଅପରପକ୍ଷେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଆଇକାର୍ଡ ଯାଞ୍ଚ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପ୍ରକ୍ଟର ରଜନୀ ଆବି କହିଛନ୍ତି। ସେମାନେ ଡିୟୁ ଛାତ୍ର କି ନୁହେଁ ତାହା ପ୍ରଥମେ ଯାଞ୍ଚ କରାଯିବ। ସେମାନେ ବାହାରର ବୋଲି ଜଣାପଡ଼ିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହାଛଡ଼ା ସେମାନେ ଡିୟୁ ଛାତ୍ର ଥିଲେ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share