UPI Charges: ଦୋକାନୀମାନଙ୍କୁ ସେମାନଙ୍କର UPI ସ୍କାନର୍‌ ଏବଂ ସାଉଣ୍ଡବକ୍ସ ବଦଳାଇବାକୁ ପଡ଼ିବ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୬।୯: ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (NPCI) ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR)ଯାହା ମୁଖ୍ୟତଃ ଏକ UPI ଶୁଳ୍କଲାଗୁ କରିବାକୁ ଘୋଷଣା କରିଛି। UPI ପେମେଣ୍ଟ ଉପରେ ଲାଗୁ ହେବାକୁ ଥିବା ଏହି ଶୁଳ୍କ ଅକ୍ଟୋବର ୧୫ ରୁ କାର୍ଯ୍ୟକାରୀ ହେବ। NPCIର ଏହି ଘୋଷଣା ପରେ ବଜାରରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଓ ଆଶଙ୍କା ଦେଖିବାକୁ ମିଳିଛି। ଅନେକ ଦୋକାନୀ ଚିନ୍ତାରେ ଅଛନ୍ତି ଯେ, ଏହି ନୂଆ ଶୁଳ୍କ ଯୋଗୁ ସେମାନଙ୍କୁ କ’ଣ ବର୍ତ୍ତମାନ ବ୍ୟବହାର କରୁଥିବା QR କୋଡ ସ୍କାନରଗୁଡ଼ିକୁ ବାଦ ଦେବାକୁ ପଡ଼ିବ? ପେମେଣ୍ଟ ସୁନିଶ୍ଚିତ ହେବାର ସୂଚନା ଦେଉଥିବା ‘ସାଉଣ୍ଡବକ୍ସ’ (Soundboxes) ଗୁଡ଼ିକୁ କ’ଣ ଅପଗ୍ରେଡ କିମ୍ବା ପରିବର୍ତ୍ତନ କରିବାକୁ ପଡ଼ିବ?
ଯଦି ଆପଣ ମଧ୍ୟ ଏହିସବୁ ବିଷୟ ନେଇ ଚିନ୍ତିତ, ତେବେ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ। NPCI ଏକ ବିସ୍ତୃତ FAQ (ସାଧାରଣ ପ୍ରଶ୍ନୋତ୍ତର) ଜାରି କରିଛି ଯାହା ସମଗ୍ର ସ୍ଥିତିକୁ ସ୍ପଷ୍ଟ କରିଛି। ଦୋକାନୀମାନଙ୍କ ପାଇଁ ସବୁଠାରୁ ବଡ଼ ଆଶ୍ୱସ୍ତିର ବିଷୟ ହେଉଛି ଯେ, ସେମାନଙ୍କୁ ବର୍ତ୍ତମାନ ବ୍ୟବହାର କରୁଥିବା QR କୋଡ ସ୍କାନର, ଷ୍ଟାଣ୍ଡି (standees) କିମ୍ବା ସାଉଣ୍ଡବକ୍ସରେ ଟିକିଏ ହେଲେ ବି ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଦୋକାନଗୁଡ଼ିକରେ ଲଗାଯାଇଥିବା ସମସ୍ତ ଭୌତିକ (physical) QR କୋଡ ପୂର୍ବଭଳି ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ସାଉଣ୍ଡବକ୍ସ ବଦଳାଇବାର ଆବଶ୍ୟକତା ନାହିଁ କିମ୍ବା କୌଣସି ନୂଆ ହାର୍ଡୱେର୍‌ କିମ୍ବା ସଫ୍ଟୱେର୍‌ ଅପଡେଟର ମଧ୍ୟ ଆବଶ୍ୟକତା ନାହିଁ।
ନୂତନ ପଞ୍ଜୀକରଣ ପାଇଁ ବ୍ୟବସାୟୀମାନଙ୍କୁ UPI ଆପ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିବା କିମ୍ବା ବ୍ୟାଙ୍କ ଶାଖାକୁ ଯିବାର ଆବଶ୍ୟକତା ନାହିଁ। ଆପଣଙ୍କର ବର୍ତ୍ତମାନର ବ୍ୟବସ୍ଥା ମାଧ୍ୟମରେ ବିନା କୌଣସି ବାଧାରେ ପେମେଣ୍ଟ ଗ୍ରହଣ କାର୍ଯ୍ୟ ଜାରି ରହିବ।
NPCI ସ୍ପଷ୍ଟ କରିଛି ଯେ ଏହି ନୂତନ ନିୟମ ସାଧାରଣ ଜନତା କିମ୍ବା କ୍ଷୁଦ୍ର ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ୯୫%ରୁ ଅଧିକ UPI କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। ମୋଟ UPI P2M (ବ୍ୟକ୍ତି-ରୁ-ବ୍ୟବସାୟୀ) କାରବାର ମଧ୍ୟରୁ ୯୫%ରୁ ଅଧିକ କାରବାର ୨,୦୦୦ ଟଙ୍କାରୁ କମ ମୂଲ୍ୟର ହୋଇଥାଏ। ଏହି କମ ମୂଲ୍ୟର ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। ୦.୪% MDR କେବଳ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ କ୍ଷେତ୍ରରେ ଲାଗୁ ହେବ। ଏପରିକି ୭୫,୦୦୦ ଟଙ୍କା ବା ତଦୁର୍ଦ୍ଧ୍ୱର ବଡ଼ କାରବାର କ୍ଷେତ୍ରରେ ମଧ୍ୟ, ପ୍ରତି କାରବାର ପିଛା ଶୁଳ୍କ ସର୍ବାଧିକ ୩୦୦ ଟଙ୍କା ମଧ୍ୟରେ ସୀମିତ ରହିବ।

Dharitri – Odisha’s No.1 Odia Daily

Share