Categories: ଜାତୀୟ

ବଦଳିଲା ନିୟମ: ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀଙ୍କୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଥିବା ୧୪ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ଏଥିଯୋଗୁ ସେହି ଦେଶରୁ ଆସୁଥିବା ଯାତ୍ରୀମାନେ ବିନା ଆରଟିପିସିଆର ଟେଷ୍ଟରେ ବିମାନ ବନ୍ଦର ଛାଡ଼ିପାରିବେ ନାହିଁ। ଏଣୁ ସେମାନଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ପ୍ରାୟ ୬ ଘଣ୍ଟା ଅଧିକ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂତ୍ରରୁ ଜଣାପଡ଼ିଛି।

ଆରଟିପିସିଆର୍‌ ଟେଷ୍ଟ ଫଳାଫଳ ପାଇଁ ୪ରୁ ୬ ଘଣ୍ଟା ଲାଗିବ। ବିମାନ ବନ୍ଦରରେ ଆରଟିପିସିଆର୍‌ ଟେଷ୍ଟ କରିବା ଦାୟିତ୍ୱରେ ଥିବା କମ୍ପାନୀ ଘଣ୍ଟାକୁ ୪୦୦ରୁ ୫୦୦ ଟେଷ୍ଟ କରିପାରିବ। ଏଥିଯୋଗୁ ଯାତ୍ରୀଙ୍କୁ ସ୍ବତନ୍ତ୍ର ଅଞ୍ଚଳରେ ସାମାଜିକ ଦୂରତା ବଜାୟ ରଖି ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ହାରାହାରି ୟୁରୋପରୁ ଦିଲ୍ଲୀ ଡାଇରେକ୍ଟ ଫ୍ଲାଇଟ୍‌କୁ ସାଢ଼େ ୮ ଘଣ୍ଟା ଲାଗେ। ଫ୍ଲାଇଟ୍‌ ପୂର୍ବରୁ ଦୁଇ ଘଣ୍ଟା ଓ ଦିଲ୍ଲୀ ବିମାନବନ୍ଦରରେ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ। ଏହାବାଦ୍‌ କଷ୍ଟମ ଓ ଇମିଗ୍ରେଶନ କ୍ଲିଅର ପାଇଁ ଆଉ ଏକ ଘଣ୍ଟା ଲାଗିବ। ଫଳରେ ଯାତ୍ରୀଙ୍କୁ ଫ୍ଲାଇଟ୍‌ର ୧୭ ଘଣ୍ଟା ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବାକୁ ପଡ଼ିବ।

ୟୁରୋପ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସ୍ବାନା, ଚାଇନା, ମୌରିସିଅସ, ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ ଆଦି ଦେଶରୁ ଆସୁଥିବା ଯାତ୍ରୀଙ୍କର ବିମାନ ବନ୍ଦରରେ ଆରଟିପିସିଆର ଟେଷ୍ଟ କରାଯିବ।

ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ଯାତ୍ରୀ ପଜିଟିଭ ଜଣାପଡ଼ିବା ପରେ ସରକାର ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍କ୍ରିନିଂ ଓ ଟେଷ୍ଟିଂକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦେଶରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଓମିକ୍ରନ ମାମଲା ଚିହ୍ନଟ ହୋଇ ନ ଥିବା ସରକାର ସଂସଦରେ ମଙ୍ଗଳବାର କହିଛନ୍ତି।

Share