Categories: ଜାତୀୟ

ଉମେଶ ପାଲଙ୍କ ହତ୍ୟାକାଣ୍ଡର କାର୍ଯ୍ୟାନୁଷ୍ଠାନ ନେଲା ୟୁପି ପୋଲିସ: ଅତିକଙ୍କ ସହଯୋଗୀଙ୍କୁ ଏନ୍‌କାଉଣ୍ଟର

ପ୍ରୟାଗରାଜ,୨୭।୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଉମେଶ ପାଲ ଓ ତାଙ୍କ ଗନ୍‌ ମ୍ୟାନଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଛି ୟୁପି ପୋଲିସ। ସୂଚନା ମୁତାବକ, ସୋମବାର ଦ୍ୱିପହରରେ ଧୁମନଗଞ୍ଜ ଅଞ୍ଚଳ ସ୍ଥିତ ନେହେରୁ ପାର୍କର ଏକ ଜଙ୍ଗଲରେ କେତେକ ଅଭିଯୁକ୍ତଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲା। ଏହି ସମୟରେ ପୋଲିସର ଏନ୍‌କାଉଣ୍ଟରରେ ଅଭିଯୁକ୍ତ ଅରବାଜଙ୍କୁ ଗୁଳି ବାଜିଥିଲା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ସମୟରେ ଅନ୍ୟ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଥିଲେ। ତେବେ ଗୁରୁତର ଅବସ୍ଥାରେ ଅରବାଜଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଅରବାଜ ପୂର୍ବତନ ଏମ୍‌ପି ଅତିକ ଅହମ୍ମଦଙ୍କ ନିକଟତର ସହଯୋଗୀ ବୋଲି କୁହାଯାଉଛି। ଅରବାଜ ସଲ୍ଲାହପୁରର ବାସିନ୍ଦା ହୋଇଥିବା ବେଳେ ସେ ଅତିକଙ୍କ ଗାଡ଼ି ଚଳାଉଥିବା ଜଣାପଡ଼ିଛି। ଅନ୍ୟପଟେ ଉତ୍ତରପ୍ରଦେଶରେ ସ୍ପେଶାଲ ଟାସ୍କ ଫୋର୍ସର ୧୦ଜଣିଆ ଟିମ୍‌ ହତ୍ୟାକାରୀଙ୍କ ଛାନଭିନ୍‌ ଜାରି ରଖିଛି। ୟୁପି ସରକାରରେ ମାଫିଆଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ ହୋଇଛି ବୋଲି ପୋଲିସ ଏଡିଜିପି ପ୍ରଶାନ୍ତ କୁମାର କହିଛନ୍ତି।

Share