ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ଫଳରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ପଞ୍ଚାୟତ ନିର୍ବାଚନ ହେବା ସମ୍ଭାବନା ରହିଛି । ଏବେ ଗ୍ରାମୀଣ ସ୍ଥାନୀୟ ନିକାୟ ନିର୍ବାଚନ ମେ’ ୨୦୨୭ ସୁଦ୍ଧା ହେବା ଆଶା କରାଯାଉଛି।

ନଭେମ୍ବର ୧୮ ତାରିଖରେ ଲକ୍ଷ୍ନୌଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୋଟ ୩୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ବର୍ତ୍ତମାନ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ଗ୍ରାମ ପ୍ରଧାନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ମଧ୍ୟ ସାମିଲ ରହିଛି।

ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ, ଉତ୍ତରପ୍ରଦେଶର ୫୭,୬୯୪ଟି ଗ୍ରାମ ପଞ୍ଚାୟତରେ ନିଯୁକ୍ତ ପ୍ରଶାସକ ଆଉ ୬ ମାସ କାର୍ଯ୍ୟ କରିବେ । ସେମାନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ନଭେମ୍ବର ୨୬ରେ ଶେଷ ହେବାକୁ ଥିଲା। ଏହି ସମୟସୀମା ବୃଦ୍ଧି କରିବା ପାଇଁ ସରକାର ଏକ ଅଧ୍ୟାଦେଶ ଜରିଆରେ ‘ଉତ୍ତରପ୍ରଦେଶ ପଞ୍ଚାୟତି ରାଜ ଅଧିନିୟମ’ରେ ସଂଶୋଧନ କରିବେ।

ନୂଆ ନିର୍ବାଚନ ନହେବା ପର୍ଯ୍ୟନ୍ତ ଗାଁଗୁଡ଼ିକରେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ତାହା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ୨୦୨୧ରେ ନିର୍ବାଚିତ ଗ୍ରାମ ପଞ୍ଚାୟତଗୁଡ଼ିକର ୫ ବର୍ଷିଆ କାର୍ଯ୍ୟକାଳ ୨୦୨୬ ମେ’ ୨୬ରେ ଶେଷ ହୋଇଥିଲା। ଏହାପରେ ବର୍ତ୍ତମାନର ଗ୍ରାମ ପ୍ରଧାନମାନଙ୍କୁ ପ୍ରଶାସନିକ ଦାୟିତ୍ୱ ଦିଆଯାଇଥିଲା। ଅନ୍ୟ ପଛୁଆ ବର୍ଗ (OBC)ଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ନହେବା ନିର୍ବାଚନ ବିଳମ୍ବର ଏକ ପ୍ରମୁଖ କାରଣ। ଏଥିପାଇଁ ମେ’ ୧୮, ୨୦୨୬ରେ ଗଠିତ ପଛୁଆ ବର୍ଗ ଆୟୋଗର କାର୍ଯ୍ୟକାଳ ମଧ୍ୟ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆୟୋଗ ଏପର୍ଯ୍ୟନ୍ତ ନିଜ ରିପୋର୍ଟ ଦାଖଲ କରିନାହିଁ।

 

Dharitri – Odisha’s No.1 Odia Daily

Share