Categories: ଜାତୀୟ

ସରକାରୀ ସ୍କୁଲର ଶ୍ରେଣୀଗୃହକୁ ୧୫ ହଜାରରେ ବିକିଦେଲେ ଶିକ୍ଷକ

ମୋରଦାବାଦ,୫।୮: ଉତ୍ତରପ୍ରଦେଶ ମୋରାଦାବାଦର କୁଣ୍ଡାର୍କି ବିକାଶ ବ୍ଲକ ଅଞ୍ଚଳର ପିଟପୁର ନାୟାକୋଡା ଗାଁର ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀକୁ ଜଣେ ଶିକ୍ଷକ ବିକ୍ରି କରିଦେଇଛନ୍ତି। ଶିକ୍ଷକ ମୁଜାହିଦ୍‌ ହୁସୈନ ୩୦ ହଜାରରେ ଶ୍ରେଣୀଗୃହକୁ ବିକ୍ରି କରିଥିବା କିଛି ଲୋକ କହୁଥିବା ବେଳେ ସ୍କୁଲର ଶିକ୍ଷା ମିତ୍ର ୧୫ ହଜାରରେ ବିକିଥିବା କହୁଛନ୍ତି। ତେବେ କିଣିଥିବା ବ୍ୟକ୍ତି ଉକ୍ତ ଘରକୁ ଭାଙ୍ଗି ଦେଇଥିବା ବେଳେ ଘଟଣାର ଯାଞ୍ଚ କରାଯାଉଛି।

ସୂଚନାନୁଯାୟୀ, ମାମଲାଟି ପିଟପୁର ନାୟାକୋଡା ଗାଁର ପ୍ରାଥମିକ ବିଦ୍ୟାଳୟର। ଏହି ବିଦ୍ୟାଳୟରେ ୨୦୧୦ରେ ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା। ଏହାକୁ ମୁଜାହିଦ୍‌ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛନ୍ତି। ଏପରିକି ଆଉ ଏକ କୋଠରୀକୁ ବିକିବାକୁ ମୂଲଚାଲ କରିଦେଇଥିଲେ। ଏ ବିଷୟରେ ଗାଁ ମୁଖ୍ୟ ଜାଣିବାକୁ ପାଇଥିଲେ। ଏହାପରେ ଶିକ୍ଷକଙ୍କ ସହ ତାଙ୍କର ବିବାଦ ଉପୁଜିଥିଲା। ଫଳରେ ସେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଧିକାରୀ ବିଷ୍ଣୁ ଗ୍ରାମରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ। ପରେ ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିଥିଲା। ଏହାକୁ ଆଧାର କରି ସେ ବିଏସ୍‌ଏଫ୍‌ ବୁଦ୍ଧପ୍ରିୟ ସିଂଙ୍କୁ ତାଙ୍କର ରିପୋର୍ଟ ପଠାଇ ଦେଇଛନ୍ତି। ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share