Categories: ଜାତୀୟ

ବାହୁବଳୀ ଅନ୍‌ସାରୀଙ୍କୁ ଝଟ୍‌କା: ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କଲେ ହାଇକୋର୍ଟ

ଲକ୍ଷ୍ନୌ,୨୧।୯: ଉତ୍ତରପ୍ରଦେଶରେ ମାଫିଆରୁ ନେତା ପାଲଟିଥିବା ପୂର୍ବତନ ବିଧାୟକ ମୁଖ୍‌ତାର ଅନ୍‌ସାରୀଙ୍କୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରୁ ବଡ଼ ଛଟ୍‌କା ଲାଗିଛି। ବୁଧବାର କୋର୍ଟ ତାଙ୍କୁ ଜେଲରଙ୍କୁ ହତ୍ୟା ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ମଞ୍ଜୁର କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ମାମଲା ଅନୁଯାୟୀ, ୨୦୦୩ରେ ଲକ୍ଷ୍ନୌର ତତ୍କାଳିନ ଜେଲର ଏସ୍‌.କେ. ଅବସ୍ଥି ଆଲାମବାଗ ପୋଲିସ ଷ୍ଟେଶନରେ ଅନସାରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଜେଲରେ ଅନ୍‌ସାରୀଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇ ଥିବାରୁ ତାଙ୍କୁ ଜୀବନରେ ମାରି ଦେବାକୁ ସେ ଧମକ ଦେଇଥିବା ଅବସ୍ଥି ଅଭିଯୋଗ କରିଥିଲେ। ଏପରିକି ତାଙ୍କୁ ଧମକ ଦେବା ବେଳେ ଅନ୍‌ସାରୀ ଖରାପ ଶବ୍ଦ ବ୍ୟବହାର କରିବା ସହ ପିସ୍ତଲ ଦେଖାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଏହି ମାମଲାରେ ଟ୍ରାଏଲ କୋର୍ଟ ଅନ୍‌ସାରୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଦେଇଥିଲେ। ଏହି ରାୟ ବିରୋଧରେ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା।

ତେବେ ଦେଶର ବାହୁବଳୀମାନଙ୍କ ମଧ୍ୟରେ ଅନ୍‌ସାରୀଙ୍କୁ ଗଣନା କରାଯାଏ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ସଦସ୍ୟ ଥିଲେ। ଏଥିସହ ସେ ମାଉର ପୂର୍ବତନ ବିଧାୟକ ମଧ୍ୟ।

Share