Categories: ଜାତୀୟ

ୟୁପି ବିଧାନସଭା ନିର୍ବାଚନ ମଧ୍ୟରେ ଏଣ୍ଟ୍ରି କଲା ଓମିକ୍ରନ୍‌: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧୩

ଲକ୍ଷ୍ନୌ,୧୮ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ବଡ ବଡ ରାଲିର ଆୟୋଜନ କରୁଛନ୍ତି । ଆଉ ଏହାରି ଭିତରେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଣ୍ଟ୍ରି ମାରିଛି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଗାଜିଆବାଦରେ ୨ଜଣ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି । କୁହାଯାଉଛି କି ଓମିକ୍ରନର ସଂକ୍ରମଣ ଡେଲ୍ଟାଠାରୁ ବହୁ ଗୁଣରେ ଅଧିକ ହୋଇଥିବାରୁ ଦେଶରେ ଏହା ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ଡିସେମ୍ବର ୩ରେ ମୁମ୍ବାଇରୁ ଜୟପୁର ଦେଇ କାର୍‌ରେ ଗାଜିଆବାଦ ଆସିଥିବା ୨ ବରିଷ୍ଠ ନାଗରିକ ଓମିକ୍ରନ୍‌ର ଶିକାର ହୋଇଛନ୍ତି । କାଶ ହେବାରୁ ପ୍ରଥମେ ଏମାନଙ୍କ କରୋନା ଟେଷ୍ଟ କରାଯାଇଥିଲା ଏହାର ରିପୋର୍ଟ ପଜିଟିଭ ଆସିବାରୁ ଜିନୋମ ସିକ୍ୟୁଏନସିଂ କରାଯାଇଥିଲା ଓ ଏଥିରେ ସେମାନେ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଦେଶରେ ୨ ଡିସେମ୍ବରରେ ଓମିକ୍ରନର ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୫ ଦିନ ମଧ୍ୟରେ ଏହି ସଂଖ୍ୟା ୧୧୩ରେ ପହଞ୍ଚିଲାଣି । ଏବେ ମହାରାଷ୍ଟ୍ର ପୁଣିଥରେ ଡରାଇଲାଣି । କାରଣ ଏବେ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪୦ରେ ପହଞ୍ଚିଲାଣି ।

Share