Categories: ଜାତୀୟ

ୟୁପି: ୫୧% ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ଲକ୍ଷ୍ନୌ,୧୪।୩(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ନବନିର୍ବାଚିତ ୪୦୩ ବିଧାୟକଙ୍କ ମଧ୍ୟରୁ ୨୦୫ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। ଅର୍ଥାତ୍‌ ପାଖାପାଖି ୫୧ ପ୍ରତିଶତ ବିଧାୟକଙ୍କ ବିରୋଧରେ ବିଭିନ୍ନ ଅପରାଧ ମାମଲା ରହିଛି। ୨୦୧୭ ୟୁପି ବିଧାନସଭା ନିର୍ବାଚନ ବେଳେ ୩୬ ପ୍ରତିଶତ ବା ୧୪୩ ବିଧାୟକ ସତ୍ୟପାଠ ଜରିଆରେ ସେମାନଙ୍କ ଆପରାଧିକ ମାମଲା ସମ୍ପର୍କରେ ଘୋଷଣା କରିଥିଲେ ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ସଦ୍ୟ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୧୫୮ ଜଣ (୩୯%)ଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ଅପରାଧ ଆଦି ସଙ୍ଗିନ ଆପରାଧିକ ମାମଲା ରହିଛି। ୫ ଜଣଙ୍କ ବିରୋଧରେ ହତ୍ୟା ମାମଲା ଏବଂ ୨୯ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା ଜଣାପଡ଼ିଛି। ସେହିପରି ୬ ବିଧାୟକଙ୍କ ବିରୋଧରେ ମହିଳାଙ୍କ ପ୍ରତି ଅପରାଧ ମାମଲା ଥିବାବେଳେ ସେଥିରୁ ଜଣେ ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି। ୨୦୧୭ ନିର୍ବାଚନ ବେଳେ ୧୦୭ (୨୬%) ବିଧାୟକଙ୍କ ବିରୋଧରେ ଗୁରୁତର ଅପରାଧ ମାମଲା ରହିଥିଲା। ଏଡିଆର୍‌ ବିଶ୍ଳେଷଣ ଅନୁଯାୟୀ ୨୫୫ ନବନିର୍ବାଚିତ ଭାଜପା ବିଧାୟକଙ୍କ ମଧ୍ୟରୁ ୧୧୧ ଜଣ ଅର୍ଥାତ୍‌ ୪୪ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ଥିବାବେଳେ ସମାଜବାଦୀ ପାର୍ଟିର ୧୧୧ ବିଧାୟକଙ୍କ ମଧ୍ୟରୁ ୭୧ ଜଣ(୬୪%), ଆର୍‌ଏଲ୍‌ଡିର ୮ ବିଧାୟକଙ୍କ ମଧ୍ୟରୁ ୭ ଜଣ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୬ ବିଧାୟକଙ୍କ ମଧ୍ୟରୁ ୪, ନିଶାଦ ପାର୍ଟିର ୬ ଜଣଙ୍କ ମଧ୍ୟରୁ ୪, ଅପ୍‌ନା ଦଳ(ଏସ୍‌)ର ୧୨ ଜଣଙ୍କ ମଧ୍ୟରୁ ୩, ଜନସତ୍ତା ଦଳ ଲୋକତାନ୍ତ୍ରିକର ୨, କଂଗ୍ରେସର ୨ ଏବଂ ବିଏସ୍‌ପିର ଜଣେ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ରହିଛି।
ଭାଜପାର ୯୦ ବିଧାୟକ (୩୫%)ଙ୍କ ବିରୋଧରେ ଗୁରୁତର ମାମଲା ଥିବାବେଳେ ସମାଜବାଦୀ ପାର୍ଟିର ୪୮ (୪୩%), ଆର୍‌ଏଲ୍‌ଡିର ୫ (୬୩%), ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୪ (୬୭%), ନିଶାଦ ପାର୍ଟିର ୪ (୬୭%), ଅପ୍‌ନା ଦଳ(ଏସ୍‌)ର ୨ (୧୭%) , ଜନସତ୍ତା ଦଳ ଲୋକତାନ୍ତ୍ରିକର ୨ (୧୦୦%), କଂଗ୍ରେସର ୨ (୧୦୦%)ଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି।
ଦାଖଲ ସମ୍ପତ୍ତି ତାଲିକା ଅନୁଯାୟୀ ୪୦୩ ବିଧାୟକଙ୍କ ମଧ୍ୟରୁ ୩୬୬ ଜଣ ବା ୯୧ ପ୍ରତିଶତ କୋଟିପତି ବୋଲି ଜଣାପଡ଼ିଛି। ଭାଜପାର ୨୫୫ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୨୩୩ ଜଣଙ୍କ ପାଖରେ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ରହିଛି। ସେହିପରି ସମାଜବାଦୀ ପାର୍ଟିର ୧୧୧ ବିଧାୟକଙ୍କ ମଧ୍ୟରୁ ୧୦୦ ଜଣ, ଅପ୍‌ନା ଦଳର ୧୨ ଜଣଙ୍କ ମଧ୍ୟରୁ ୯, ଆର୍‌ଏଲ୍‌ଡିର ୮ ଜଣଙ୍କ ମଧ୍ୟରୁ ୭, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସମସ୍ତ ୬, ନିଶାଦ ପାର୍ଟିର ୬, ଜନସତ୍ତା ଦଳ ଲୋକତାନ୍ତ୍ରିକର ୨, କଂଗ୍ରେସର ୨, ବିଏସ୍‌ପିର ଜଣେ ବିଧାୟକଙ୍କ ସମ୍ପତ୍ତି ପରିମାଣ ୧ କୋଟିରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ନବନିର୍ବାଚିତ ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୮.୦୬ କୋଟି ଟଙ୍କା ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।

Share