Categories: ଜାତୀୟ

ଚରିତ୍ର ସଂହାର କରିବାରୁ କଂଗ୍ରେସରୁ ଇସ୍ତଫା ଦେଲେ ଫାରହା ନଇମ

ବଡାଉନ,୨୮ ।୧: କଂଗ୍ରେସର କଳି ଏବେ ପ୍ରାୟ ସବୁ ରାଜ୍ୟରେ ଦେଖିବାକୁ ମିଳିଲାଣି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଘୋଷଣା କରାଯାଇଥିବା ବେଳେ ଏବେ ଶେଖୁପୁର ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥି ଥିବା ଫରହା ନଇମ ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଜିଲା ସଭାପତି ଓମକାର ସିଂ ଫାରହାଙ୍କ ଚରିତ୍ର ସଂହାର କରିଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।
ଫାରହା କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଦଳରେ ଥିବାରୁ ସେ ମହିଳାଙ୍କ ଅଧିକାର ପାଇଁ ଲଢିବାକୁ ଆଗକୁ ଆସିଥିଲେ । ହେଲେ ଓମକାରଙ୍କ ଭଳି ଲୋକ ଦଳରେ ଥିଲେ ସେ କେବେ ରହିପାରିବେ ନାହିଁ ବୋଲି ଫାରହା ସ୍ପଷ୍ଟ ଭାବେ କହିଛନ୍ତି । ସୂଚନାଯୋଗ, ବିଧାନସଭା ନିର୍ବାଚନ ଲଢିବା ପାଇଁ ଫାରହାଙ୍କୁ ଶେଖୁପୁର ଆସନରୁ ଲଢିବାକୁ କଂଗ୍ରେସ ଟିକେଟ ଦେଇଥିଲା । ହେଲେ ଏବେ ଓମକାର ତାଙ୍କୁ ଯେଉଁଭଳି ବ୍ୟବହାର ଦେଖାଇଛନ୍ତି ସେଥିପାଇଁ ସେ ନିର୍ବାଚନ ନ ଲଢିବା ସହ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । କାରଣ ଓମକାର ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଏକ ସାକ୍ଷାତ୍‌କାରରେ ଫାରହା କହିଛନ୍ତି ମହିଳାମାନେ ବଡାଉନରେ ଆଦୌ ସୁରକ୍ଷିତ ନୁହେଁ । ଓମକାର ସିଂ ମୋ ଚରିତ୍ର ସଂହାର କରିଛନ୍ତି ମୋତେ ଚରିତ୍ରହୀନା ବୋଲି କହିଛନ୍ତି ପୁଣି ମୁସଲିମ ମହିଳାଙ୍କୁ ଟିକେଟ ଦେବା ଉଚିତ ନୁହେଁ ବୋଲି ବି କହିଛନ୍ତି । ହେଲେ କଂଗ୍ରେସ ସବୁ ସମ୍ପ୍ରଦାୟକୁ ସମାନ ଦୃଷ୍ଟିରେ ଦେଖିଥାଏ । କିନ୍ତୁ ଓମକାରଙ୍କ ଭଳି ଲୋକ ଦଳରେ ଥିଲେ ମୁଁ ସେଠି ରହିପାରିବି ନାହିଁ ବୋଲି ଫାରହା କହିଛନ୍ତି ।

Share