Categories: ଜାତୀୟ

ୟୁପି ବୋର୍ଡ ପରୀକ୍ଷା, ଡ୍ୟୁଟିରେ ଅବସରପ୍ରାପ୍ତ-ମୃତ ଶିକ୍ଷକ…

ଲକ୍ଷ୍ନୌ,୨୪।୩ : ଉତ୍ତରପ୍ରଦେଶରେ ବୋର୍ଡ ପରୀକ୍ଷା ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେଇଛନ୍ତି। ଫିରୋଜାବାଦରୁ ଏଭଳି ମାମଲା ସାମ୍ନାକୁ ଆସିଛି, ଏହା ଜାଣି ଯେକେହି ଚକିତ ହୋଇଯିବେ। ଏହାର କାରଣ ହେଉଛି ଅବସରପ୍ରାପ୍ତ ଶିକ୍ଷକ କିମ୍ବା ମୃତ୍ୟୁ ଘଟିଥିବା ଶିକ୍ଷକମାନେ ମଧ୍ୟ ବୋର୍ଡ ପରୀକ୍ଷାରେ ଡ୍ୟୁଟିରେ ଅଛନ୍ତି।

ବୋର୍ଡ ପରୀକ୍ଷା ପାଇଁ ଶିକ୍ଷା ପରିଷଦ ଏହାର ସମସ୍ତ ପ୍ରସ୍ତୁତି ଶେଷ କରିଥିବାବେଳେ ଫିରୋଜାବାଦରେ ପରୀକ୍ଷା କକ୍ଷରେ ନିରୀକ୍ଷକ ଭାବେ ଅବସରପ୍ରାପ୍ତ ଏବଂ ମୃତ ଶିକ୍ଷକଙ୍କର ଡ୍ୟୁଟି ଲଗାଯାଇଛି। ଏଭଳି ବିଶୃଙ୍ଖଳା ଏବେ ସାମ୍ନାକୁ ଆସିଛି। ପରୀକ୍ଷା ପାଇଁ ଡ୍ୟୁଟିରେ ଅବସର ନେଇଥିବା ଶିକ୍ଷକଙ୍କୁ ଶିକ୍ଷା ପରିଷଦ ପକ୍ଷରୁ ନୁଯୁକ୍ତ କରାଯାଇଛି। ସେହିପରି କିଛି ମାସ ପୂର୍ବେ ମୃତ୍ୟୁ ଘଟିଥିବା ଶିକ୍ଷକ ମଧ୍ୟ ପରୀକ୍ଷାରେ ଡ୍ୟୁଟିରେ ଅଛନ୍ତି। ୬ ମାସ ତଳେ ମୃତ୍ୟୁ ଘଟିଥିବା ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପରୀକ୍ଷା ସମୟରେ ଡୂ୍ୟଟି ଆଲର୍ଟ କରାଯାଇଛି। ଏସିପି ଇଣ୍ଟର କଲେଜ ଏକାରେ ଡ୍ୟୁଟିରେ ଅବସର ନେଇଥିବା ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି।

ଏହି ପ୍ରସଙ୍ଗରେ ଜିଲାର ଶିକ୍ଷା ଅଧିକାରୀ ଅଞ୍ଜଳି ଅଗ୍ରୱାଲ ଏହା ଅବହେଳା ନୁହେଁ ବୋଲି କହିଛନ୍ତି। ପରୀକ୍ଷା ପାଇଁ ତଥ୍ୟ ମୁଖ୍ୟାଳୟରୁ ନିଆଯାଏ। ଏହି ତଥ୍ୟ ମାସେ ପୂର୍ବରୁ ନିଆଯାଏ ଏବଂ ବର୍ତ୍ତମାନ ଯେତେବେଳେ ପରୀକ୍ଷା ଆରମ୍ଭ ହୁଏ, ସେହି ଅନୁଯାୟୀ ଡୂ୍ୟଟି ଲାଗୁ ହୁଏ। ମୁଖ୍ୟାଳୟର କିଛି ମାସ ପୂର୍ବରୁ ତଥ୍ୟ ନେଇ ଡ୍ୟୁଟି ଲାଗୁ କରାଯାଇଛି। ତା’ପରେ କ୍ରସ ଚେକ କରାଯାଇ ନାହିଁ ଯେ ସେମାନଙ୍କ ମଧ୍ୟରୁ କେତେଜଣ ବର୍ତ୍ତମାନ ନିଯୁକ୍ତ ଅଛନ୍ତି ଅବା ଅବସର ନେଇଛନ୍ତି ।

ସେ  କହିଛନ୍ତି ଯେ ଯଦି କିଛି ଭୁଲ କରାଯାଇଛି, ତେବେ ଏହାକୁ ଶୀଘ୍ର ସଂଶୋଧନ କରାଯିବ। ବହୁ ଜିଲାରେ ଛାତ୍ରୀଛାତ୍ରଙ୍କ ଆଡମିଟ କାର୍ଡରେ ତ୍ରୁଟି ମାମଲା ମଧ୍ୟ ସାମ୍ନାକୁ ଆସିଛି। ଏହାର ଜବାବରେ ସେ କହିଛନ୍ତି ଯେ ପିଲାମାନଙ୍କର ଆଡମିଟ କାର୍ଡରେ କୌଣସି ତ୍ରୁଟି ଥିଲେ ମଧ୍ୟ ସେମାନେ ପରୀକ୍ଷା ଦେଇ ପାରିବେ ବୋଲି ସେ ସୂଚନା ଦେଇଛନ୍ତି।

Share