Categories: ଜାତୀୟ

ୟୁପିର ୫ ବାହୁବଳୀ ମାଫିଆ ଡନ୍‌: ବିରୋଧରେ ରହିଛି ହତ୍ୟା,ଲୁଟ ଆଦି ୨୦୦ରୁ ଅଧିକ ମାମଲା

ଲକ୍ଷ୍ନୌ, ୮।୭: ଉତ୍ତରପ୍ରଦେଶରେ ମାଫିଆ ଡନ୍‌ଙ୍କ କାହାଣୀ ବହୁ ପୁରୁଣା। କିଛି ଦିନ ତଳେ ୮ ପୋଲିସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବିକାଶ ଦୁବେ ଫେରାର ହୋଇ ଯାଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ୩୩ ଅପରାଧୀଙ୍କ ତାଲିକା ଜାରି କରିଛନ୍ତି। ସେମାନଙ୍କ ମଧ୍ୟରେ ବହୁ ବାହୁବଳୀ ମଧ୍ୟ ରହିଛନ୍ତି। ରାଜ୍ୟ ଅପରାଧ ଇତିହାସରେ ୫ ଜଣ ମାଫିଆଡନ୍‌ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେମାନଙ୍କ ନାମରେ ହତ୍ୟା, ଲୁଟ୍‌ ,ବଟି ଆଦାୟ ଆଦି ୨୦୦ରୁ ଅଧିକ ମାମଲା ରାଜ୍ୟର ବିଭିନ୍ନ ଥାନାରେ ଦାଏର ହୋଇଛି। ସେମାନଙ୍କ ମଧ୍ୟରେ ମୁଖତାର୍‌ ଅନ୍‌ସାରୀ, ଅତିକ୍‌ ଅହମ୍ମଦ୍‌, ଧନଞ୍ଜୟ ସିଂ, ବଦନ ସିଂ ବଦ୍ଦୋ ଏବଂ ବୃଜେଶ୍‌ ସିଂ ପ୍ରମୁଖଙ୍କ ନାମ ରହିଛି। ଏହି ଅପରାଧୀଙ୍କ ମଧ୍ୟରେ କେତେକ ୫ ଥର ବିଧାୟକ ରହିଥିବାବେଳେ କିଛି ଲଗାତର ୨୪ ବର୍ଷ ଧରି ନିର୍ବାଚନ ଜିତି ଚାଲିଛନ୍ତି। ମୁଖତାର୍‌ ଅନ୍‌ସାରୀ ରାଜ୍ୟରେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ୧୫ ବର୍ଷ ହେଲା ଜେଲ୍‌ରେ ରହିଛନ୍ତି। ତାଙ୍କ ନାମରେ ୪୦ରୁ ଅଧିକ ଆପରାଧୀକ ମାମଲା ରୁଜୁ ହୋଇଛି। ତାଙ୍କ ଦୁଇ ପୁଅ କୋଟିପତି ଥିବାବେଳେ ଭାଇ ଅଫଜଲ ଅନସାରୀ ଗାଜିପୁର ଏମ୍‌ପି ରହିଛନ୍ତି। ଅତିକ୍‌ ଅହମ୍ମଦ୍‌ ରାଜ୍ୟର ପୂର୍ବତନ ଏମ୍‌ପି। ସେ ଗତ ୩ ବର୍ଷ ଧରି ଜେଲ୍‌ରେ ଅଛନ୍ତି। ତାଙ୍କ ନାମରେ ୮୩ରୁ ଅଧିକ ମାମଲା ରହିଛି। ତାଙ୍କ ନାମ ଶୁଣିଲେ ଲୋକେ ଭୟ କରିଥାନ୍ତି। କୁହାଯାଏ ତାଙ୍କର ବିଚାର କରୁଥିବା ୧୦ ବିଚାରପତି ନିଜକୁ ଏହି ମାମଲାଠାରୁ ଅଲଗା ରଖିବାକୁ ନିଷ୍ପତ୍ତି ନେଇଥିଲେ। ଧନଞ୍ଜୟ ସିଂ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ ୪୦ରୁ ଅଧିକ ମାମଲା ରହିଛି। ବଦନ ସିଂ ବଦ୍ଦୋଙ୍କ ନାମରେ ବହୁ ଆପରାଧୀକ ମାମଲା ରହିଛି। ୨୦୧୭ ଅକ୍ଟୋବର ୩୦ରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଥିଲା। ତେବେ କିଛି ଦିନ ଜେଲ୍‌ରେ ରହିବା ପରେ ସେ ୬ ଜଣ ପୋଲିସଙ୍କୁ ମଦରେ ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ। ଏହା ପିଇବା ପରେ ପୋଲିସ ବେହୋସ୍‌ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ସେ ଜେଲ୍‌ରୁ ଫେରାର୍‌ ହୋଇଯାଇଥିଲେ। ଏହି ମାମଲାରେ ୬ ପୋଲିସଙ୍କ ସମେତ ୧୮ ଜଣ ଲୋକଙ୍କୁ ଜେଲ ଦଣ୍ଡାଦେଶ କରାଯାଇଛି। ବୃଜେଶ୍‌ ସିଂଙ୍କ ନାମରେ ୩୦ରୁ ଅଧିକ ମାମଲା ରହିଛି। ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ସେ ୬ ଜଣଙ୍କୁ ହତ୍ୟା କରିଥିଲେ। ଏବେ ସେ ୨୦୦୮ଠାରୁ ଜେଲ୍‌ରେ ବନ୍ଦ ଅଛନ୍ତି।

Share