ଛୋଟା ପଣ୍ଡିତ ହେବା ଉର୍ଫିଙ୍କୁ ପଡ଼ିଲା ମହଙ୍ଗା, ମିଳିଲା ହତ୍ୟା ଧମକ

ସୋସିଆଲ ମିଡିଆ ଷ୍ଟାର୍‌ ଉର୍ଫି ଜାଭେଦ ନିଆରା ଶୈଳୀ ପାଇଁ ଜଣାଶୁଣା। ତାଙ୍କର ଅସାଧାରଣ ଶୈଳୀ ଯୋଗୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଛନ୍ତି। ପ୍ରତ୍ୟେକ ଥର ଉର୍ଫି ନିଜ ଡ୍ରେସ୍‌କୁ ନେଇ ଟ୍ରୋଲ ହୁଅନ୍ତି। ଏଥର ଉର୍ଫି ଫିଲ୍ମ ଭୁଲ ଭୁଲେୟାର ଛୋଟା ପଣ୍ଡିତଙ୍କ ଲୁକକୁ କପି କରିଥିଲେ, ଏହା ତାଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ତାଙ୍କୁ ମେଲ୍‌ ଯୋଗେ ହତ୍ୟା ଧମକ ମିଳିଛି। ସୋସିଆଲ ମିଡିଆରେ ଉର୍ଫି ଏହି ସୂଚନା ଦେଇଛନ୍ତି।
ନିକଟରେ ଉର୍ଫି ଭୁଲ ଭୁଲେୟାର ଛୋଟା ପଣ୍ଡିତ ରୂପ ଧାରଣ କରିଥିଲେ। ଏହାର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେ ଏହି ଲୁକରେ ହାଲୋଏନ ପାର୍ଟୀକୁ ଯାଉଥିଲେ। ତାଙ୍କ ଲୁକ ଏବଂ ମେଲ୍‌ର ଫଟୋ ଷେୟାର କରିବାବେଳେ ଉର୍ଫି ଲେଖିଛନ୍ତି – ଏହି ଦେଶ ମୋତେ ଚକିତ କରିଛି। ମୁଁ ଏକ ଚଳଚ୍ଚିତ୍ରର ଚରିତ୍ରକୁ କପି କରିବା ପାଇଁ ମୋତେ ହତ୍ୟା ଧମକ ମିଳୁଛି। କିନ୍ତୁ ସେହି ଚରିତ୍ର ଉପରେ କୌଣସି ପ୍ରତିକ୍ରିୟା ନାହିଁ।
ଜଣେ ବ୍ୟକ୍ତି ହତ୍ୟା କରିବାକୁ ଧମକ ଦେଇ ଉର୍ଫିଙ୍କୁ ଏକ ମେଲ ପଠାଇଥିଲେ। ସେ ଲେଖିଛନ୍ତି – ଆପଣ ଅପଲୋଡ କରିଥିବା ଭିଡିଓ ଡିଲିଟ କରନ୍ତୁ, ନଚେତ୍‌ ଆପଣଙ୍କୁ ମାରିବାକୁ ସମୟ ଲାଗିବ ନାହିଁ। ଅନ୍ୟ ଜଣେ ମେଲ କରିଛନ୍ତି – ଉର୍ଫି ଜାଭେଦ ଆମର ହିନ୍ଦୁ ଧର୍ମକୁ ବଦନାମ କରୁଛନ୍ତି।
ଛୋଟା ପଣ୍ଡିତଙ୍କ ଲୁକରେ ଭିଡିଓ ଶେୟାର କରି ଉର୍ଫି ଜାଭେଦ ଲେଖିଥିଲେ – ମୁଁ ଆଶା କରେ ଆପଣ ସମସ୍ତେ ଜାଣିଥିବେ ଯେ ଛୋଟା ପଣ୍ଡିତ ଭୁଲ ଭୁଲେୟା ଚରିତ୍ର। ମୁଁ ହାଲୋଏନ ପାର୍ଟୀ ପାଇଁ ପ୍ରସ୍ତୁତ ହେବା ପାଇଁ କଠିନ ପରିଶ୍ରମ କଲି କିନ୍ତୁ ଯାଇ ପାରିଲି ନାହିଁ, ତେଣୁ ମୁଁ ଭାବିଲି ମୁଁ ଏହି ଭିଡିଓ ପୋଷ୍ଟ କରିବି।

Share