ମାଉଣ୍ଟ ମାଉଙ୍ଗାନୁଇ, ୧୫ା୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ମଇଦାନରେ ଖେଳାଯାଉଥିବା ଦିନିକିଆ ସିରିଜର ପଞ୍ଚମ ତଥା ଚୂଡ଼ାନ୍ତ ମୁକାବିଲାରେ ଭାରତୀୟ ବ୍ୟାଟିଂ ଲାଇନ୍ଅପ୍ ପୁଣିଥରେ କିୱି ବୋଲରଙ୍କ ଆଗରେ ସମ୍ପୂର୍ଣ୍ଣ ଧ୍ୱସ୍ତ-ବିଧ୍ୱସ୍ତ ହୋଇଯାଇଛି। ଗତ ମ୍ୟାଚ୍ରେ ମାତ୍ର ୮୯ ରନ୍ରେ ଅଲଆଉଟ୍ ହୋଇଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ମଧ୍ୟ ନିର୍ଦ୍ଧାରିତ ଓଭର୍ ଖେଳିପାରି ନାହିଁ ଏବଂ ୨୦୯ ରନରେ ସୀମିତ ରହିଛି।
୨୦୧୫ ଦିନିକିଆ ବିଶ୍ୱକପ୍ ପରଠାରୁ, ଏହା ଦ୍ୱିତୀୟ ଥର ପାଇଁ ଘଟିଛି ଯେତେବେଳେ ଭାରତୀୟ ଦଳ ଗୋଟିଏ ଦିନିକିଆ ସିରିଜରେ ଦୁଇଥର ୨୨୫ ରନରୁ କମ୍ ସ୍କୋରରେ ଅଲ୍ଆଉଟ୍ ହୋଇଛି। ଏହା ପୂର୍ବରୁ ୨୦୨୪ ଶ୍ରୀଲଙ୍କା ଗସ୍ତ ସମୟରେ ଏପରି ଘଟିଥିଲା।
ସମଗ୍ର ସିରିଜ୍ ସମୟରେ ଭାରତୀୟ ଟପ୍-ଅର୍ଡର (ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ୍)ଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି, ଯାହା ଗତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହି ସିରିଜର ୪ଟି ମ୍ୟାଚ୍ରେ ଭାରତର ଟପ୍-ଅର୍ଡର ମାତ୍ର ୧୪.୬୬ର ସାମାନ୍ୟ ହାର ଏବଂ ୮୨.୨୪ର ଷ୍ଟ୍ରାଇକ୍ ରେଟରେ ମୋଟ ୧୭୬ ରନ୍ କରିଥିଲେ, ଯେଉଁଥିରେ କେବଳ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା। ଏହାର ବିପରୀତରେ, ଠିକ୍ ଗୋଟିଏ ମାସ ପୂର୍ବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ଟି ମ୍ୟାଚ୍ରେ ଏହି ଭାରତୀୟ ଟପ୍-ଅର୍ଡର ୧୦୩.୮୫ର ଜବରଦସ୍ତ ହାର ଏବଂ ୧୩୨.୧୮ର ଷ୍ଟ୍ରାଇକ୍ ରେଟ୍ରେ ୭୨୭ ରନ୍ କରିଥିଲେ, ଯେଉଁଥିରେ ୪ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା।
ଚାମ୍ପିୟନ୍ସ ଟ୍ରଫି ୨୦୧୩ ପରଠାରୁ ଚାରି କିମ୍ବା ତା’ଠାରୁ ଅଧିକ ମ୍ୟାଚ୍ର ଦିନିକିଆ ସିରିଜରେ ଏହା ମାତ୍ର ଦ୍ୱିତୀୟ ଘଟଣା, ଯେତେବେଳେ ଭାରତର ଟପ୍ ତିନିଜଣ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ କେହି ମଧ୍ୟ ଶତକ ହାସଲ କରିପାରି ନାହାନ୍ତି। ସଂଯୋଗବଶତଃ ଉଭୟ ଥର ଏଭଳି ଘଟଣା ନ୍ୟୁଜିଲାଣ୍ଡର ମାଟିରେ ହିଁ ଘଟିଛି। ପୂର୍ବରୁ ୨୦୧୯ ଗସ୍ତରେ ମଧ୍ୟ ଭାରତର ଟପ୍ ତିନି ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ କେହି ଶତକ କରିପାରି ନ ଥିଲେ। ଏହି ସମଗ୍ର ସିରିଜରେ ଭାରତୀୟ ବ୍ୟାଟିଂର ଦୟନୀୟ ଅବସ୍ଥାର ଅନୁମାନ ଏହି କଥାରୁ ଲଗାଯାଇପାରିବ ଯେ, ଚାରୋଟି ଇନିଂସ ପରେ ମଧ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ସିରିଜରେ ମୋଟ ୧୦୦ ରନ୍ ଅତିକ୍ରମ କରିପାରି ନାହାନ୍ତି। ବିରାଟ କୋହଲି ୮୬ ରନ୍ ସହ ଦଳର ସର୍ବାଧିକ ସ୍କୋରର ରହିଛନ୍ତି।
୮୬ ରନ୍ – ବିରାଟ କୋହଲି (୪ ଇନିଂସ)
୭୪ ରନ୍ – ଅକ୍ଷର ପଟେଲ (୪ ଇନିଂସ)
୭୩ ରନ୍ – ଈଶାନ କିଷନ (୨ ଇନିଂସ)
୬୭ ରନ୍ – ଶ୍ରେୟସ ଆୟର (୪ ଇନିଂସ)
୬୦ ରନ୍ – ନମନ ଧୀର (୪ ଇନିଂସ)
୩୭ ରନ୍ – ଶୁଭମନ ଗିଲ୍ (୨ ଇନିଂସ)
୩୦ ରନ୍ – ରୋହିତ ଶର୍ମା (୪ ଇନିଂସ)
୨୯ ରନ୍ – କେ.ଏଲ୍. ରାହୁଲ (୨ ଇନିଂସ)
୨୩ ରନ୍ – ଋତୁରାଜ ଗାଏକୱାଡ଼ (୨ ଇନିଂସ)