ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ଖରିଫ୍ ଚାଷକାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି। ହେଲେ ଟୋକନ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ରବିରେ ଅମଳ ଧାନକୁ ଅନେକ ଚାଷୀ ବିକ୍ରି କରି ପାରି ନାହାନ୍ତି। ଅନ୍ୟପଟେ ବର୍ଷା ମାଡ଼ି ଆସିଲାଣି। ଖରିଫ୍ ଚାଷକାର୍ଯ୍ୟ ପାଇଁ ବର୍ଷା ଅନୁକୁଳ ହୋଇଥିବାବେଳେ ବିକ୍ରି ଅପେକ୍ଷାରେ ଖୋଲା ଆକାଶତଳେ ରହିଥିବା ରବିଧାନ ପାଇଁ ତାହା ପ୍ରତିକୂଳ ପରିସ୍ଥିତି ସାଜିଛି। ଫଳରେ ଏଭଳି ସ୍ଥିତିରେ ବର୍ତ୍ତମାନ ବରଗଡ଼ ଜିଲାର ଚାଷୀମାନେ ଦୋ ଛକିରେ ରହିଛନ୍ତି। ରବିରେ ଅମଳ ଧାନ ବିକ୍ରି କରିବେ ନା ଖରିଫ୍ ଚାଷକାର୍ଯ୍ୟ ଆରମ୍ଭ କରିବେ, ଏବେ ଏହି ଚିନ୍ତା ଜିଲାର ଚାଷୀମାନଙ୍କୁ ଘାରି ବସିଛି। ଟୋକନରେ ରହିଥିବା ତ୍ରୁଟି ଯୋଗୁ ଚାଷୀ ଏଭଳି ଅଡୁଆ ସ୍ଥିତିରେ ପଡ଼ିଛି। ତେବେ ବାରମ୍ବାର ଦାବି ସତ୍ତ୍ୱେ ଏହାର ସମାଧାନ ହୋଇ ପାରି ନଥିବାରୁ ଚାଷୀ ଅସନ୍ତୋଷ ଦ୍ୱିଗୁଣିତ ହୋଇଛି। ଏହି କ୍ରମରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଛି।
ଗତ ମେ ମାସ ୧୧ତାରିଖରୁ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ବିକ୍ରିବଟା ପାଇଁ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ୧୮୩ ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଖୋଲିଛି। ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଛନ୍ତି, କିନ୍ତୁ ତାହା ବିକ୍ରି ଅପେକ୍ଷାରେ ଦୀର୍ଘଦିନ ଧରି ପଡ଼ି ରହୁଛି। ଧାନ ଉଠାଇବା ପାଇଁ ମଣ୍ଡିକୁ ମିଲର୍ସ ଆସିଲେ ଯାଇ ଧାନକ୍ରୟ ସଂସ୍ଥା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ତାହା କିଣୁଛି। ପୁଣି କଟ୍ନୀଛଟ୍ନୀରେ ରାଜି ହେଲେ ଯାଇ ସେହି ଧାନକୁ କିଣାଯାଉଛି, ନଚେତ୍ ସେଭଳି ତାହା ମଣ୍ଡିରେ ପଡ଼ି ରହୁଛି। ସବୁ ମଣ୍ଡିରେ କଟ୍ନୀଛଟନୀ ସାଧାରଣରେ ପରିଣତ ହୋଇଯାଇଛି ଏବଂ ଅତିକମ୍ରେ କୁଇଣ୍ଟାଲ ପ୍ରତି ୩କି.ଗ୍ରା ଲେଖାଏ କଟନୀଛଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ରହିଥିବା ଟୋକନ କଟକଣା ବଡ଼ ସମସ୍ୟା ହୋଇ ରହିଛି। ଏହି ପ୍ରକ୍ରିୟା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ତଥା ସରକାରଙ୍କ ନିର୍ଦ୍ଧାରୀତ ସମୟ ଅବଧି ମଧ୍ୟରେ ଚାଷୀମାନେ ଆବଶ୍ୟକ କାଗଜାତ୍ ସହିତ ଉଦ୍ଦିଷ୍ଟ ଫର୍ମ ପୂରଣ କରି ଆବେଦନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିପାରି ନଥିବାବେଳେ ବହୁସଂଖ୍ୟକ ଚାଷୀଙ୍କ ଟୋକନକୁ ବ୍ଲକ୍ କରି ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଛି, ସେଥିରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ ହ୍ରାସ ରହିଛି। ଏପରିକି କେତେକ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୧କୁଇଣ୍ଟାଲରୁ ୫କୁଇଣ୍ଟାଲ ମଧ୍ୟରେ ସୀମିତ ରହିଛି। ଆବଶ୍ୟକ କାଗଜାତ୍ ଦେବା ସତ୍ତ୍ୱେ ଧାନବିକ୍ରି ଟୋକନରେ ଏଭଳି ତ୍ରୁଟିକୁ ନେଇ ଚାଷୀମହଲରେ ଆରମ୍ଭରୁ ଅସନ୍ତୋଷ ଲାଗି ରହିଛି।
ତେବେ ଚାଷୀଙ୍କ ବାରମ୍ବାର ଦାବି ପରେ ଏପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଟୋକନ ଆସିଥିଲେ ମଧ୍ୟ ଅନୁରୂପ ସମସ୍ୟା ଲାଗି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସମସ୍ୟା ଯୋଗୁ ଅନେକ ଚାଷୀ ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆଣିବାରେ ସକ୍ଷମ ହୋଇ ପାରୁ ନାହାନ୍ତି। ଅନ୍ୟପଟେ ବେପାରୀମାନେ ସକ୍ରିୟ ହୋଇ ପଡ଼ିଥିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ(ଇନପୁଟ୍ ଆସିଷ୍ଟାଣ୍ଟ ସହିତ) ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ବଦଳରେ ୧୬୦୦ ଟଙ୍କାରୁ ୧୮୦୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେହିପରି ବର୍ଷା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଅମଳ ଧାନକୁ ଚାଷୀମାନେ କ୍ଷେତ, ଖଳାରେ ରଖିଛନ୍ତି। କିଏ ତାରପୋଲିନ ତ ଆଉ କେହି ପାଳ ଘୋଡ଼ାଇ ଧାନକୁ ସୁରକ୍ଷିତ ରଖିଛନ୍ତି। କିନ୍ତୁ ତୁହାକୁ ତୁହା ବର୍ଷା ହେଉଥିବାରୁ ସେହି ଧାନକୁ ବାରମ୍ବାର ଖରାରେ ଶୁଖାଇବାକୁ ପଡୁଛି। ଏପରିକି ବିଭିନ୍ନ ମଣ୍ଡିରେ ଧାନ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ସ୍ଥାନ ନାହିଁ। ଫଳରେ ସେଠାରେ ମଧ୍ୟ ଧାନ ଖୋଲା ଆକାଶତଳେ ରହିଥିବା ପରିଲକ୍ଷିତ ହୋଇଛି। ଏପରିକି ବର୍ଷାର ପ୍ରଭାବରେ ବରଗଡ଼ ଆର୍ଏମ୍ସି ଅଧୀନ କଲାପାଣି ମଣ୍ଡିରେ ରହିଥିବା ଧାନବସ୍ତା ଗଜା ହେବା ନଜୀର ରହିଥିବା ବେଳେ ଅନ୍ୟ କେତେକ ମଣ୍ଡିରେ ଏଭଳି ସ୍ଥିତି ଉପୁଜିଥିବା ଚାଷୀମାନେ କହିଛନ୍ତି। ଟୋକନ ସମସ୍ୟାର ତ୍ୱରିତ୍ ସମାଧାନ ସହିତ ଚାଷୀଙ୍କ ବିକ୍ରିଯୋଗ୍ୟ ସବୁଧାନକୁ କିଣା ନଗଲେ ଆଗକୁ ଏକ ବଡ଼ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି, ଏହା ଏବେଠାରୁ ସ୍ପଷ୍ଟ ହେବାରେ ଲାଗିଛି।