କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ ଦୀର୍ଘ ଦେଢ଼ ବର୍ଷ ହେବ ଏକ ଭଙ୍ଗା ହୋର୍ଡିଂ ରାସ୍ତାକଡ଼ରେ ରହିଥିଲେ ହେଁ ଉଠାଯାଉ ନ ଥିବାରୁ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏଣୁ ତୁରନ୍ତ ହଠାଇଦେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ନଚେତ୍ ଦୁର୍ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି।
ପ୍ରକାଶ ଯେ, ଦେଢ଼ ବର୍ଷ ତଳେ ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ଫଟୋ ସ୍ବାଗତ ଜଣାଇବାକୁ ମରାଯାଇଥିଲା। ତେବେ ଠିକା ନେଇଥିବା ସଂସ୍ଥା ଫଟୋ ନେଇ ପାର ହୋଇଗଲା କିନ୍ତୁ ଫଟୋ ଲାଗିଥିବା ବାଉଁଶଗୁଡିକୁ ଅଦ୍ୟାବଧି ଉଠା ଯାଉ ନ ଥିବାରୁ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହି ବାଉଁଶ ଉପରେ ଯାଇଥିବା ବିଦ୍ୟୁତ୍ ଖୁଣ୍ଟରେ ଲାଗି ରହିଥିବାରୁ ବର୍ଷାଦିନରେ ବିଦ୍ୟୁତ୍ ଆଘାତ ଭୟ ରହୁଛି।
ସେହିପରି ଏହି ବାଉଁଶଗୁଡିକ ସିଗନାଲ ଲାଇଟ୍ ପୋଷ୍ଟ ଆଗରେ ଥିବାରୁ ଗାଡି ଚାଳକ ଦୂରରୁ ଟ୍ରାଫିକ ସିଗ୍ନାଲ ଲାଇଟ୍ ଦେଖିପାରୁନାହାନ୍ତି। ଫଳରେ ଏହାକୁ ନେଇ ଅନେକ ସମୟରେ ଦୁର୍ଘଟଣା ପରିସ୍ଥିତି ଉପୁଜଛି। ସେହିପରି ବାଉଁଶଗୁଡ଼ିକ ଖରା,ବର୍ଷା ଓ କାକରରେ ପଡ଼ିରହିଥିବାରୁ ନଷ୍ଟ ହୋଇ ଖସି ପଡ଼ିବା ଆଶଙ୍କା ରହୁଛି। ଖସିପଡ଼ିଲେ ବଡ଼ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି ବୋଲି ସ୍ଥାନୀୟ ସାମାଜିକ କର୍ମୀ ଦିଲ୍ଲୀପ କୁମାର ସାହୁ, ଅଶୋକ ଶର୍ମା, ପିଣ୍ଟୁ ଶର୍ମା, ନାଗେଶ୍ୱର ସେଠୀ ସମେତ ବହୁ ସ୍ଥାନୀୟ ଲୋକେ ମତବ୍ୟକ୍ତ କରି ଉଠାଇ ନେବାକୁ ଦାବି କରିଛନ୍ତି। ଏପରିକି ସହରରେ ଫୁଟ୍ପାଥ୍ ଉଚ୍ଛେଦ କାର୍ଯ୍ୟ ଚାଲିଥିଲେ ହେଁ ପୌର କର୍ମଚାରୀମାନେ ଏହାକୁ ଉଠାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ଡ୍ୟୁଟି କରୁଥିବା ଟ୍ରାଫିକ୍ ପୋଲିସ, ଯିବା ଆସିବା କରୁଥିବା ପ୍ରଶାସନିକ ଅଧିକାରୀ ତଥା ପୌର ଅଧିକାରୀମାନଙ୍କ ଏଥିପ୍ରତି ନିଘା ନାହିଁ କିମ୍ବା ଉଠାଇ ରାସ୍ତା ଅବରୋଧମୁକ୍ତ କରିବା ନେଇ ଆନ୍ତରିକତା ପ୍ରଦର୍ଶନ ନ ଥିବାରୁ ସ୍ଥାନୀୟ ଲୋକ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
Dharitri – Odisha’s No.1 Trusted Odia Daily

