୮ ବର୍ଷ ଧରି ଡୋନେତସ୍କ୍‌-ଲୁହାଂସ୍କରେ ଅଶାନ୍ତି ଜାରି, ୧୪ ହଜାରରୁ ଅଧିକ ଜୀବନ ଗଲାଣି…

ମସ୍କୋ/କ୍ୱିଭ୍‌, ୨୨।୨ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ରାତି ୧୧ଟାରେ ପୁଟିନ୍‌ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ଅଧିକୃତ ଡୋନୋତସ୍କ୍‌ ଏବଂ ଲୁହାଂସ୍କ ସହର କେତେକ ଅଞ୍ଚଳକୁ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ଏହା ଦ୍ୱାରା ଯୁଦ୍ଧ ଘୋଷଣା ସ୍ପଷ୍ଟ ହୋଇଛି। ଏହାପରେ ପୁଟିନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏହି ଦୁଇ ସହରରେ ଶାନ୍ତି ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୮ ବର୍ଷ ଧରି ୨୦୧୪ ଠାରୁ ରୁଷିଆ ସୀମାକୁ ଲାଗିଥିବା ଏହି ଦୁଇ ସହରରେ ଅଶାନ୍ତି ଲାଗି ରହିଛି। ରୁଷିଆ ସମର୍ଥିତ ବିଦ୍ରୋହୀ ୨୦୧୪ରେ କ୍ରିମିୟାକୁ ଦଖଲ କରିବା ପରେ ଏହି ସହରରେ ହିଂସା ବୃଦ୍ଧି ପାଇଛି। ଏଥିରେ ଇତିମଧ୍ୟରେ ୧୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

ଡୋନେତସ୍କ୍‌ ସହରର ଜନସଂଖ୍ୟା ପ୍ରାୟ ୨୦ ଲକ୍ଷ। ଏହା ଡୋନବାସ ରାଜ୍ୟର ମୁଖ୍ୟ ସହର। କୋଇଲା ଏବଂ ଉଦ୍ୟୋଗିକ ବିକାଶ ପାଇଁ ଏହି ସହର ବେଶ୍‌ ଜଣାଶୁଣା। ଏହା ୟୁକ୍ରେନ୍‌ର କୋଇଲା ଭଣ୍ଡାର। ଏହାର ଉତ୍ତର ସୀମା କୃଷ୍ଣ ସାଗରକୁ ଲାଗିଛି।
ଏହି ଦୁଇ ସହରକୁ ବିଦ୍ରୋହୀଙ୍କ ଦ୍ୱାରା ଦଖଲକୁ ନେଇ ରୁଷିଆ ନୂଆ ଯୁଦ୍ଧ ରଣନୀତି ଆପଣେଇଛି ବୋଲି ଆମେରିକା ପକ୍ଷରୁ ଦାବି କରାଯାଇଛି।

Share