୩ ବର୍ଷର ଶିଶୁପୁତ୍ରକୁ ଦେଉଥିଲେ ଅପ୍ରାକୃତିକ ଯୌନ ନିର୍ଯାତନା: ଅଭିଯୋଗ ପରେ ଜେଲ ଗଲେ ଅଭିଯୁକ୍ତ

ବଲାଙ୍ଗୀର ଅଫିସ, ୧୦।୧: ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ରାଜ୍ୟର ଅବିନିଶ ନାୟକ(୧୯)। ଶନିବାର ପୀଡିତ ଶିଶୁପୁତ୍ର ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ଏ ନେଇ ଟାଉନ୍‌ ଥାନାରେ ଦଫା ୩୭୭, ପୋକ୍‌ସୋ ଆକ୍ଟରେ ଏକ ମାମଲା (ନଂ.୧୫/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଉତ୍ତରପ୍ରଦେଶରୁ ଆସି ଏକ ଦମ୍ପତି ବଲାଙ୍ଗୀର ସହରର ଏକ ପଡାରେ ଭଡ଼ାଘର ନେଇ ଚୁଡି ବ୍ୟବସାୟ କରୁଥିଲେ। କିଛିଦିନ ତଳେ ସେମାନଙ୍କ ଦୁଇ ସମ୍ପର୍କୀୟ ଯୁବକ ମଧ୍ୟ ଉତ୍ତରପ୍ରଦେଶରୁ ଆସି ସେହି ଘରେ ରହି ଚୁଡି ବ୍ୟବସାୟ କରୁଥିଲେ। ସେମାନଙ୍କ ମଧ୍ୟରୁ ଅବିନିଶ ଶୁକ୍ରବାର ଚୁଡି ବିକିବାକୁ ନ ଯାଇ ଭଡାଘରେ ଥିଲେ। ସନ୍ଧ୍ୟାବେଳେ ଭଡାଘର ମାଲିକଙ୍କ ୩ବର୍ଷର ଶିଶୁପୁତ୍ରକୁ ଯୌନ ନିର୍ଯାତନା ଦିଆଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଶିଶୁର ମଳଦ୍ୱାରରୁ ରକ୍ତ ବାହାରୁଥିବା ଦେଖି ପରିବାର ଲୋକେ ପ୍ରଥମେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । ପରେ ପରିବାର ଲୋକେ ଶୁକ୍ରବାର ରାତିରେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା ।