ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ ୪ଟି ଛକା ସମ୍ବଳିତ ଏହି ଇନିଂସ ବଳରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ସର୍ବୋଚ୍ଚ ଟି-୨୦ ସ୍କୋର (୨୦ ଓଭରରେ ୨୪୯ ରନ) ହାସଲ କରିପାରିଥିଲା। ସାମସନଙ୍କ ବ୍ୟାଟିଂ ଚମତ୍କାର ଥିଲେ ମଧ୍ୟ ସେ ଦୁର୍ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ପାଖରେ ଶତକ ହାସଲ କରିବାର ସୁଯୋଗ ଥିଲା କିନ୍ତୁ ସେ ନିଜ ଉଇକେଟ ହରାଇ ବସିଥିଲେ। ଉଲ୍ଲେଖନୀୟ ଯେ, ସଞ୍ଜୁ ସାମସନ ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷ ମଧ୍ୟରେ ଟି-୨୦ରେ ତିନିଥର ୮୦ରୁ ୯୦ ରନ ମଧ୍ୟରେ ଆଉଟ ହୋଇଛନ୍ତି।
ରାଞ୍ଚିରେ ୮୨ ରନ କରି ଆଉଟ ହେବା ପୂର୍ବରୁ, ସଞ୍ଜୁ ସାମସନ ଅହମ୍ମଦାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୯ ରନ କରି ଆଉଟ ହୋଇଥିଲେ। ତା’ ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ସେ ୮୯ ରନ କରି ଆଉଟ ହୋଇଥିଲେ। ସ୍ପଷ୍ଟ ଭାବେ ସାମସନଙ୍କ ପାଖରେ ଏହି ତିନୋଟିଯାକ ମ୍ୟାଚରେ ଶତକ ହାସଲ କରିବାର ସୁଯୋଗ ଥିଲା, କିନ୍ତୁ ତାହା ସମ୍ଭବ ହୋଇପାରି ନଥିଲା। ଯଦି ସେ ଏହି ତିନୋଟି ଇନିଂସକୁ ଶତକରେ ପରିଣତ କରିପାରିଥାନ୍ତେ, ତେବେ ତାଙ୍କ ସମାଲୋଚକମାନଙ୍କ ମୁହଁ ବନ୍ଦ ହୋଇଯାଇଥାନ୍ତା।
ଏକ ଚମତ୍କାର ଇନିଂସ ଖେଳିବା ପରେ ସଞ୍ଜୁ ସାମସନ କହିଛନ୍ତି, ରାଞ୍ଚିରେ ଅଭ୍ୟାସ ସମୟରେ ସେ ପିଚ୍ର ସ୍ବଭାବକୁ ବୁଝିପାରିଥିଲେ। ମୁଁ କେବଳ ବଲ ଅନୁଯାୟୀ ଖେଳିବାକୁ ଚେଷ୍ଟା କରିଥିଲି। ମୁଁ ମୋର ସଟ୍ଗୁଡ଼ିକ ପାଇଁ କୌଣସି ପୂର୍ବ-ଯୋଜନା କରି ନ ଥିଲି। ଜଣେ ବୃତ୍ତିଗତ କ୍ରିକେଟର ଭାବରେ, ସର୍ବଦା ଚାପ ରହିଥାଏ, କିନ୍ତୁ ଆପଣ କେବଳ ବୃତ୍ତିଗତ ଦିଗ ଉପରେ ଧ୍ୟାନ ଦେଇପାରିବେ। ଟି-୨୦ ଫର୍ମାଟରେ, ଫଳାଫଳ ଆପଣଙ୍କ ହାତରେ ନଥାଏ, ଆପଣଙ୍କୁ କେବଳ ନିଜର ଖେଳ ଖେଳିବାକୁ ପଡ଼ିବ। ଦେଶ ପାଇଁ ଭଲ ପ୍ରଦର୍ଶନ କରିବା ମୋର କାମ।