Categories: ଜାତୀୟ

ଅନ୍‌ଲକ୍‌ ୪ରେ ମେଟ୍ରୋ ରେଳସେବାକୁ ଅନୁମତି

ନୂଆଦିଲ୍ଲୀ, ୨୯।୮-ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌ ୪ ଆରମ୍ଭ ହେଉଥିଲାବେଳେ ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ମାର୍ଗଦର୍ଶିକା ଜାରି ହୋଇଛି। ଏହି ଗାଇଡ୍‌ଲାଇନ ଅନୁଯାୟୀ ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ରେଳସେବା ଆରମ୍ଭ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିବେ। ଚତୁର୍ଥ ପର୍ଯ୍ୟାୟ ଅନ୍‌ଲକ୍‌ରେ ସେପ୍ଟେମ୍ବର ୨୧ରୁ ସାମାଜିକ, ରାଜନୈତିକ, ଶୈକ୍ଷିକ, କ୍ରୀଡ଼ା, ଧର୍ମୀୟ ତଥା ଅନ୍ୟାନ୍ୟ ଉତ୍ସବରେ ୧୦୦ ଜଣ ଲୋକଙ୍କୁ ଭାଗନେବା ଲାଗି ଅନୁମତି ମିଳିବ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି। ତେବେ ସ୍କୁଲ୍‌କୁ ୫୦ ପ୍ରତିଶତ ଶିକ୍ଷକ ଆସିବେ। ଏହି ସମୟରେ ଅନ୍‌ଲାଇନ ଶିକ୍ଷାଦାନ ଜାରି ରହିବ। ଶିକ୍ଷକଙ୍କଠାରୁ ପାଠ ବୁଝିବା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍କୁଲକୁ ଯାଇପାରିବେ।
ଅନ୍‌ଲକ୍‌ ୪ରେ ଆନ୍ତଃରାଜ୍ୟ କିମ୍ବା ରାଜ୍ୟ ଭିତରେ ଗମନାଗମନ ଓ ମାଲ୍‌ ପରିବହନ ପାଇଁ ସ୍ବତନ୍ତ୍ର ଅନୁମତି କିମ୍ବା ଇ-ପର୍‌ମିଟ୍‌ର ଆବଶ୍ୟକ ପଡ଼ିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share