ବାଲେଶ୍ୱରରେ ଅଜଣା ପୋକ ଆତଙ୍କ

ବାଲେଶ୍ୱର ଅଫିସ,୨୭।୩: ବାଲେଶ୍ୱର ଜିଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅଧୀନ ଜମ୍ବେଶ୍ୱରପୁର ବଡ଼ଖୁଆଆଡ଼ି ହରିଜନ ସାହିରେ ହଜାର ହଜାର ଅଜଣା (କଳା ଓ ନାଲି ରଙ୍ଗର) ପୋକ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପୋକଗୁଡ଼ିକ ଘର ଭିତରେ ପଶି ବାସନକୁସନଠାରୁ ଆରମ୍ଭ କରି ବିଛଣା ସହ ସମସ୍ତ ସାମଗ୍ରୀରେ ଲାଗି ରହୁଛନ୍ତି। କାମୁଡ଼ି ମଧ୍ୟ ଦେଉଛନ୍ତି। ପୋକ କାମୁଡ଼ିବା ପରେ ଅଳ୍ପ ଗନ୍ଧ ହେବା ସହ ଉକ୍ତ ସ୍ଥାନ କୁଣ୍ଡେଇ ହୋଇ ଫୁଲିବା ପରେ ଯନ୍ତ୍ରଣା ହେଉଛି। ଏନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅଜଣା ପୋକ ସମ୍ପର୍କରେ ଗ୍ରାମର କେତେକ ଲୋକ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଉକ୍ତ ଗ୍ରାମରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା। ସେମାନଙ୍କର ଏକ ଟିମ୍‌ ପହଞ୍ଚତ୍ ଘଟଣାସ୍ଥଳରେ ଅନୁଧ୍ୟାନ କରି ସେମାନେ ମଧ୍ୟ ଅସମର୍ଥତା ପ୍ରକାଶ କରିଥିଲେ। ସାମାଜିକ କର୍ମୀ ଶାନ୍ତା ଦାସ ଓ ସୁଧାକର ସେଠୀ କୃଷି ବିକାଶ କେନ୍ଦ୍ର (ଓୟୁଏଟି) ଭୁବନେଶ୍ୱର ସହ ଯୋଗାଯୋଗ କରିଥିଲେ। ଓୟୁଏଟିର ଏକ ସ୍ବତନ୍ତ୍ର ଟିମ୍‌ ଉକ୍ତ ଗ୍ରାମରେ ପହଞ୍ଚି ପୋକଗୁଡ଼ିକୁ ଦେଖିବା ପରେ ଏଗୁଡ଼ିକ ପେଣ୍ଟିମିଡ୍‌ ବଗ୍‌ ଜାତୀୟ କୀଟ ଅଟନ୍ତି। ପରିବେଶ ଶୁଷ୍କ ହେଲେ ଏଗୁଡିକ ଜନ୍ମ ନେଇଥାନ୍ତି। ଏମାନେ ଅଧିକ କ୍ଷତିକାରକ ନୁହନ୍ତି, ମାତ୍ର ସାବଧାନର ସହ ଚଳପ୍ରଚଳ କରିବାକୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଥିଲେ। ଏଥିସହିତ ଘର ଭିତର ଓ ଚତୁଃପାର୍ଶ୍ୱ ପରିଷ୍କାର ରଖିବା, ପାଣି ଜମିବାକୁ ନ ଦେବା ସହ ଅଳିଆ ଜମା କରି ନ ରଖିବାକୁ ପରାମର୍ଶ ଦେଇଥିଲେ। ପରିଷ୍କାର ଓ ପରିଚ୍ଛନ୍ନତା ରହିଲେ ଏହି ପୋକମାନେ ଆପେ ଆପେ ପଳାଇବେ। ଏମାନେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରନ୍ତି ନାହଁି କିମ୍ବା ଚାଷ ମଧ୍ୟ ନଷ୍ଟ କରନ୍ତିନି ବୋଲି ଓୟୁଏଟିର ସିନିୟର ରିସୋର୍ସ ପର୍ସନ ସ୍ବାଗତିକା ସାହୁ ପ୍ରକାଶ କରିଥିଲେ।