ପାଟଣା,୨୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିଲଦା ଗ୍ରାମର ମେଧାବୀ ଛାତ୍ରୀ ଚନ୍ଦ୍ରିକା ମହାନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷ ଭୂତତ୍ୱବିଜ୍ଞାନରେ ଟପର ହୋଇଥିବାରୁ ତାଙ୍କୁ ରବିବାର ଚିଲିଦାରେ ସମ୍ବର୍ଦ୍ଧିତ କରାଯାଇଛି। ସେ ଏରେଣ୍ଡେଇ ପଞ୍ଚାୟତ ହାଇସ୍କୁଲ ବେଗୁନା ଖମଣର ସଂସ୍କୃତ ଶିକ୍ଷକ ଲକ୍ଷ୍ମଣ କୁମାର ମହାନ୍ତ ଓ ଲଳିତା ମହାନ୍ତଙ୍କ କନ୍ୟା।
ତାଙ୍କର ଏଭଳି ସଫଳତା ଓ ପାଟଣା ବ୍ଲକ ଅଞ୍ଚଳର ଗୌରବ ବୃଦ୍ଧି କରିଥିବାରୁ ତାଙ୍କୁ ସ୍ଥାନୀୟ ନାଗରିକ ମଞ୍ଚ ପକ୍ଷରୁ ପୁଷ୍ପ ଗୁଚ୍ଛ, ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସମ୍ବର୍ଦ୍ଧନା ସଭା ଭାଷ୍ୟକାର ପାର୍ଥ ସାରଥୀ ବେଜଙ୍କ ଅଧ୍ୟକ୍ଷତା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁଡୁମି ସେନା, ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ଶିକ୍ଷକ ଜଗନ୍ନାଥ ମହାନ୍ତ, ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ କୈଳାଶ ଚନ୍ଦ୍ର ମହାନ୍ତ, ଅବସର ପ୍ରାପ୍ତ ସେନା ଅଧିକାରୀ ହେମନ୍ତ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିମାନେ ଟପ୍ପର ଚନ୍ଦ୍ରିକାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।


