Categories: ଜାତୀୟ

ଅତିଥି ଅଧ୍ୟାପକରେ ଚାଲିଛି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ,୧୧।୨: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମୋଟ ୧୫୪ ପଦବୀରୁ ୧୩୭ ପଦବୀ ଖାଲି ପଡ଼ିଛି। ଏହାକୁ ନେଇ ବିଜେଡି ଏମ୍‌ପି ସୁଜିତ କୁମାର ରାଜ୍ୟ ସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଲାଗି ସେ ଅନୁରୋଧ କରିଛନ୍ତି।

ରାଜ୍ୟ ସଭାରେ ଶୂନ୍ୟକାଳରେ ଆଦିବାସୀ ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦୟନୀୟ ସ୍ଥିତି ସମ୍ପର୍କରେ ସେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ମଞ୍ଜୁରୀପ୍ରାପ୍ତ ୨୩ଟି ଯାକ ପ୍ରଫେସର ପଦବୀ ଖାଲି ପଡ଼ିଛି। ସେହିପରି ୪୩ ଆସୋସିଏଟ୍‌ ପ୍ରଫେସର ପଦବୀରୁ ୪୨ଟି ଖାଲିଥିବା ବେଳେ ୮୮ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୭୨ ଖାଲି ପଡିଛି। ଜାତୀୟସ୍ତରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଖାଲି ପଦବୀ ସଂଖ୍ୟା ୨୮ ପ୍ରତିଶତ ହୋଇଥିବା ବେଳେ କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୮୯ ପ୍ରତିଶତ ପଦବୀ ଖାଲି ରହିଛି। ୧୮ଟି ବିଭାଗ ପାଇଁ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ୭୦ ଠିକା ତଥା ଅତିଥି ଅଧ୍ୟାପକ ବିଶ୍ୱବିଦ୍ୟାଳୟ ଚଳାଉଛନ୍ତି। ଖାଲି ପଦବୀଗୁଡ଼ିକୁ ପୂରଣ କରିବା ସହ ତୁରନ୍ତ ଜଣେ ସ୍ଥାୟୀ କୁଳପତି ନିଯୁକ୍ତ କରିବା ଲାଗି ବିଜେଡି ଏମ୍‌ପି ସରକାରଙ୍କୁ ଅନୁରୋଧ କରିଛନ୍ତି।

 

Share