ଆମେରିକା ସୁଧୁରୁଛି, ଭାରତରେ ଭୟଙ୍କର

ମୁମ୍ବାଇ,୫।୮: ମହାମାରୀ କରୋନା ସାରା ବିଶ୍ୱକୁ ଥରହର କରିପକାଇ ଥିବାବେଳେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛି ଆମେରିକା। ଏଠାରେ ୪୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବାବେଳେ ୧.୫୯ ଲକ୍ଷ ଜୀବନ ଗଲାଣି। ତୁଳନାତ୍ମକ ଭାବେ ଦେଖିଲେ ଭାରତ ଆମେରିକାଠାରୁ ବହୁ ପଛରେ ରହିଛି। ଭାରତରେ ଏବେ ୧୮.୬୪ ଲକ୍ଷ ଆକ୍ରାନ୍ତ ଥିବାବେଳେ ୩୯ ହଜାର ଜୀବନ ଯାଇଛି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସ୍ଥିତି ସୁଧୁରୁଥିବା କହିଛନ୍ତି। ବଡ଼ ଦେଶଗୁଡ଼ିକ ମଧ୍ୟରେ ଭାରତ ଭୟଙ୍କର ସ୍ଥିତିରେ ରହିଥିବା ସେ ମତ ଦେଇଛନ୍ତି। କରୋନା ମୁକାବିଲାରେ ଆମେରିକା ଭଲ ପ୍ରଦର୍ଶନ କରୁଥିବା ସେ ପ୍ରକାଶ କରିଛନ୍ତି। ଚାଇନା ଏହି ଭୂତାଣୁ ଛାଡ଼ି ବିଶ୍ୱରେ ଆତଙ୍କ ଖେଳାଇଥିବା ସେ ଅଭିଯୋଗ କରିଛନ୍ତି। ଭାରତରେ ଗତ କିଛିଦିନ ହେବ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେଇଛି। ମଙ୍ଗଳବାର ୫୨,୦୫୦ ନୂଆ ମାମଲା ସାମ୍ନାକୁ ଆସିଛି। ଗତ ଏକ ସପ୍ତାହ ହେବ ବହୁ ମାତ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚାଇନାରେ ମଙ୍ଗଳବାର ମାତ୍ର ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକା ୬ କୋଟି ଲୋକଙ୍କ କରୋନା ପରୀକ୍ଷା କରିଥିବା ଟ୍ରମ୍ପ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ଏତେ ମାତ୍ରାରେ ପରୀକ୍ଷା କୌଣସି ଦେଶରେ କରାଯାଇ ନ ଥିବା ସେ ଦାବି କରିଛନ୍ତି। ପ୍ରାରମ୍ଭରୁ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା। ଏବେ କିନ୍ତୁ ସପ୍ତାହେ ହେବ ୬% କମିଛି। ଆରିଜୋନାରେ ୩୭%, ଟେକ୍ସାସ୍‌ରେ ୧୮.୭%, ଫ୍ଲୋରିଡାରେ ୨୧.୨% କମିଛି। ଜର୍ଜିଆ, ମିସିସିପି, ଟେନେସି, ଓକ୍‌ଲାହୋମା, ମିସୌରିରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ଟ୍ରମ୍ପ କହିଛନ୍ତି। ନ୍ୟୁଜର୍ସି, ନ୍ୟୁୟର୍କ, ଆଲାସ୍କା, କନେକ୍ଟିକଟ୍‌, ଡେଲାଓ୍ବାରେ, ମ୍ୟାରିଲାଣ୍ଡ ସମେତ ୧୮ ରାଜ୍ୟରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ସେ ପ୍ରକାଶ କରିଛନ୍ତି।

Share