ରୁଷିଆର ୪ ଯୁଦ୍ଧବିମାନ ଘଉଡ଼ାଇଲା ଆମେରିକା

ଓ୍ବାଶିଂଟନ,୧୬ା୨: ଆଲାସ୍କା ନିକଟରେ ୩ଟି ରୁଷୀୟ ଯୁଦ୍ଧବିମାନକୁ ଆମେରିକୀୟ ବାୟୁସେନା କାବୁ କରିବା ପରେ ଘଉଡ଼ାଇଦେଇଛି। ଗତ ୧୩ ତାରିଖରେ ରୁଷୀୟ ଏୟାରକ୍ରାଫ୍ଟଗୁଡ଼ିକୁ ଗୋଡ଼ାଇ ଗୋଡ଼ାଇ ଘେରିବା ପରେ ନିଜ ଅଞ୍ଚଳରୁ ବାହାର କରିଦେଇଥିବା ନେଇ ବୁଧବାର ନର୍ଦ୍ଦର୍ନ ଆମେରିକାନ୍‌ ଏରୋସ୍ପେଶ୍‌ ଡିଫେନ୍ସ କମାଣ୍ଡ ପକ୍ଷରୁ ଟୁଇଟ୍‌ କରାଯାଇଛି।

ଏୟାରକ୍ରାଫ୍ଟଗୁଡ଼ିକ ମଧ୍ୟରେ ଟିୟୁ-୯୫ ବିଅର୍‌-ଏଚ୍‌ ବମ୍ବର୍ସ ଏବଂ ଏସ୍‌ୟୁ-୩୫ ଫାଇଟର ଜେଟ୍‌ ଥିବା ଆମେରିକା କହିଛି। ଏହି ଏୟାରକ୍ରାଫ୍ଟଗୁଡ଼ିକ ଆଲାସ୍କା ଏୟାର ଡିଫେନ୍ସ ଆଇଡେଣ୍ଟିଫିକୋନ୍‌ ଜୋନ୍‌ (ଏଡିଆଇଜେଡ୍‌) ମଧ୍ୟରେ ଉଡ଼ାଣ କରି ଅନ୍ତର୍ଜାତୀୟ ବାୟୁସୀମା ଭିତରେ ରହିଥିଲା। ତେବେ ଆମେରିକା କିମ୍ବା କାନାଡାର ସାର୍ବଭୌମ ବାୟୁସୀମା ଭିତରକୁ ଅନୁପ୍ରବେଶ କରି ନ ଥିଲା। ଉତ୍ତର ଆମେରିକୀୟ ଏଡିଆଇଜେଡ୍‌ରେ ଏହି ଯୁଦ୍ଧବିମାନଗୁଡ଼ିକ କୌଣସି ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପରେ ଜଡ଼ିତ ନ ଥିବା ଜଣାପଡ଼ିଥିଲା।

ଏହାସତ୍ତ୍ୱେ ଯୁଦ୍ଧବିମାନଗୁଡ଼ିକୁ ଏଫ୍‌-୧୬ ଦ୍ୱାରା ଘେରାଯାଇ ଯୋଜନାବଦ୍ଧ ଭାବେ ଘଉଡ଼ାଇ ଦିଆଯାଇଥିଲା। ପ୍ରକାଶ ଯେ, ୨୦୦୭ ମସିହା ପରଠୁ ଏହି ଅଞ୍ଚଳରେ ପ୍ରତିବର୍ଷ ୬ରୁ ୭ ଥର ଆମେରିକୀୟ ବାୟୁସେନା ରୁଷୀୟ ଯୁଦ୍ଧବିମାନଗୁଡ଼ିକୁ ଘଉଡ଼ାଇଥାଏ। ନର୍ଥ ଆମେରିକାରେ ଥିବା ଆମେରିକୀୟ ଯୁଦ୍ଧବିମାନଗୁଡ଼ିକ ପ୍ରତି ବିପଦ ଆଶଙ୍କା ଥିବାରୁ ନିକଟରେ ଆମେରିକା ଚାଇନାର ଏକ ଗୁପ୍ତଚର ବେଲୁନ୍‌ ଓ ତିନୋଟି ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ)କୁ ଖସାଇଦେଇଥିଲା। ଚାଇନା ପଟୁ ଆସୁଥିବା ଏଭଳି ବେଲୁନ୍‌ଗୁଡ଼ିକର ଗତିବିଧି ଉପରେ ଓ୍ବାଶିଂଟନର କଡ଼ା ନଜର ରହିଥିବା ଅଧିକାରୀମାନେ କହିଛନ୍ତି। ପ୍ରକାଶ ଯେ, ଗତବର୍ଷ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ପରଠୁ ଓ୍ବାଶିଂଟନ ଓ ମସ୍କୋ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ଯୁଦ୍ଧକୁ ୩୫୭ ଦିନ ପୂରିଥିବାବେଳେ ରୁଷିଆ ପଟୁ ଆମେରିକାକୁ ବିପଦ ରହିଥିବା ଆଶଙ୍କା କରାଯାଉଛି। ଏଭଳି ସମୟରେ ରୁଷିଆର ସମର୍ଥକ ଚାଇନା ମଧ୍ୟ ଗୁପ୍ତଚର ବେଲୁନ୍‌ ପଠାଇବା ଆମେରିକା ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି।

Share