ଚାଇନାକୁ ଘେରିଲେ ଆମେରିକା-ବ୍ରିଟେନ୍‌-ଅଷ୍ଟ୍ରେଲିଆ-କାନାଡ଼ା

ଓ୍ବାଶିଂଟନ,୧୦।୧: ହଂକଂରେ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତ ୫୫ ଜଣ ନେତା ଏବଂ ସାମାଜିକକର୍ମୀଙ୍କୁ ଚାଇନା ଗିରଫ କରିଛି। ଏହାକୁ ନେଇ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ ଏବଂ କାନାଡ଼ା ଚାଇନାକୁ ଘେରିବା ଆରମ୍ଭ କରିଛନ୍ତି। ଚାଇନାର ଏଭଳି ପଦକ୍ଷେପକୁ କଡ଼ାସ୍ବରରେ ନିନ୍ଦା କରାଯାଇଛି। ଜାତୀୟ ସୁରକ୍ଷା ଆଇନ ଆଧାରରେ ଲୋକଙ୍କୁ ହଇରାଣ କରାଯାଉଥିବା କୁହାଯାଇଛି। ହଂକଂରେ ପ୍ରଣୟନ ହୋଇଥିବା ଆଇନ ଅନୁସାରେ ମୁଖ୍ୟ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ କରାଯିବ। ସେହିପରି ତାଙ୍କୁ ସହାୟତା କରିଥିବା ବ୍ୟକ୍ତି ବିଶେଷଙ୍କୁ ୩ରୁ ୧୦ ବର୍ଷ ଜେଲ ହୋଇପାରେ। ସେହିପରି ନାବାଳକଙ୍କ କ୍ଷେତ୍ରରେ ୩ ବର୍ଷ ଅବା କିଛି ଦିନ ପାଇଁ ଜେଲ ଦଣ୍ଡାଦେଶ ହୋଇପାରେ। ଏହାଦ୍ୱାରା ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ କରାଯାଇଛି। ହଂକଂରୁ ଚାଇନାର ଅଧିକାର ହଟାଇବା ଏବଂ ବାସିନ୍ଦାଙ୍କୁ ସାଧାରଣ ଭାବେ ଜୀବନ ଯାପନ କରିବା ଲାଗି ସୁଯୋଗ ଦେବାକୁ ଦାବିି କରାଯାଇଛି। ସେଠାରେ ନିରପେକ୍ଷ ନିର୍ବାଚନ କରାଯିବା ନେଇ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ ଏବଂ କାନାଡ଼ା ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି।

Share