ବିଭିନ୍ନ ଦେଶରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ଜାତିସଂଘ ଶାନ୍ତି ସେନା, ସନ୍ତାନ ପାଳନ ପାଇଁ ସଂଘର୍ଷ କରୁଛନ୍ତି ପୀଡ଼ିତା ମା’, ୪୬୩ ପୈତୃକ ଦାବି ମାମଲା ପଞ୍ଜୀକୃତ…

ଜେନେଭା,୧୭।୯ : ଜାତିସଂଘ ଦ୍ୱାରା ପଠାଯାଇଥିବା ଶାନ୍ତି ସେନାଙ୍କ ଯୋଗୁଁ ସାରା ବିଶ୍ୱରେ ଶହ ଶହ ମହିଳା ଓ ବାଳିକା ଗର୍ଭବତୀ ହୋଇ ନିଜ ପିଲାମାନଙ୍କୁ ବଂଚାଇବା ପାଇଁ ଏକାକୀ ସଂଘର୍ଷ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ କାମନାର ଶିକାର ହେବା ପରେ ସେମାନଙ୍କ ଜନ୍ମ ହୋଇଥିବା ସନ୍ତାନଙ୍କ ଲାଳନପାଳନ ମା’ମାନଙ୍କ ପାଇଁ ଏକ ଆହ୍ବାନ ପାଲଟିଛି।

ହୋଇଥିବା ଏକ ସର୍ଭେ ଅନୁଯାୟୀ ଜାତିସଂଘର ଶାନ୍ତି ସେନାମାନେ ଅନେକ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ଯାଆନ୍ତି। ଏହି ସମୟ ମଧ୍ୟରେ ସେମାନେ ସ୍ଥାନୀୟ ମହିଳା କିମ୍ବା କିଶୋର ଝିଅମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି ଏବଂ ମିଶନ ଶେଷ ହେବା ପରେ ସେମାନଙ୍କୁ ଛାଡିଦିଅନ୍ତି। ଜାତିସଂଘ ଏପର୍ଯ୍ୟନ୍ତ ୪୬୩ ପୈତୃକ ଦାବି ମାମଲା ପଞ୍ଜୀକୃତ କରିଛି। ସେଥିମଧ୍ୟରୁ କେବଳ ୫୫ ଟି ସତ୍ୟ ବୋଲି ଜଣାପଡିଛି।

ମିଳିତ ଜାତିସଂଘ ଏହାର ଅଧିକାରୀ ଏବଂ ସ୍ଥାନୀୟ ମହିଳା / ବାଳିକାମାନଙ୍କ ମଧ୍ୟରେ ଶାନ୍ତି ସେନାଙ୍କ ସହ ଯୌନ ସମ୍ପର୍କକୁ ସ୍ବୀକାର କରିଛି। ଏଥିରେ କୁହାଯାଇଛି, ଏଭଳି କାର୍ଯ୍ୟକଳାପ ମିଳିତ ଜାତିସଂଘର କାର୍ଯ୍ୟର ବିଶ୍ୱସନୀୟତା ଏବଂ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିଥାଏ। ଏଭଳି ଘଟଣାକୁ ରୋକିବା ପାଇଁ ମିଳିତ ଜାତିସଂଘ ଏହାର ଅଧିକାରୀମାନଙ୍କୁ (ଶାନ୍ତି ରକ୍ଷାକାରୀଙ୍କୁ) ସ୍ଥାନୀୟ ନାଗରିକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ବାରଣ କରିଥିଲା।

୨୦୧୭ରେ, ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଅନ୍ୟ କାହାକୁ ଦାୟୀ କରିବା ପୂର୍ବରୁ ନିଜ ଘର (ମିଳିତ ଜାତିସଂଘ) ସଜାଡ଼ିବାକୁ ଶପଥ ନେଇଥିଲେ। ଏଥିପାଇଁ ସେ ତାଙ୍କ ଶାନ୍ତି ସେନାଙ୍କ ପାଇଁ କ୍ଷମା ପ୍ରାର୍ଥନା କରିବା ସହିତ ପୀଡିତଙ୍କ ଅଧିକାରର ସୁରକ୍ଷା ପାଇଁ ମଧ୍ୟ ବଡ ପଦକ୍ଷେପ ନେଇଥିଲେ। ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ଟ୍ରଷ୍ଟ ପାଣ୍ଠି ଗଠନ କରିଥିଲେ। ଏହି ପାଣ୍ଠିରେ ୪.୮ ମିଲିୟନ ଡଲାରରୁ ଅଧିକ ଜମା କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଏହାର ମାତ୍ର ୧ ପ୍ରତିଶତ ଅର୍ଥାତ ୨୪୯,୭୩୮ ଡଲାର ଖର୍ଚ୍ଚ ହୋଇଛି।

ଜାତିସଂଘ ପାଣ୍ଠି କାର୍ଯ୍ୟକ୍ରମ ଅଧିକାରୀ ୟସନା ଉବେରୋଇ କହିଛନ୍ତି ଜାତିସଂଘର ନିୟମ ଯୋଗୁ ଏହି ପାଣ୍ଠି ସିଧାସଳଖ ପୀଡିତଙ୍କ ନିକଟକୁ ହସ୍ତାନ୍ତର କରାଯାଇ ପାରୁ ନାହିଁ। ଏହା ପୀଡିତଙ୍କ ତାଲିମ ଏବଂ ଜୀବିକା ପାଇଁ ବ୍ୟବହୃତ ହୋଇଥାଏ।

ନୂତନ ରିପୋର୍ଟ ଅନୁଯାୟୀ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଦ୍ୱାରା ଏଭଳି କାର୍ଯ୍ୟ ଜାରି ରହିଛି। ଚଳିତ ବର୍ଷ ଜୁନ ମାସରେ, ଦୁଇ ଝିଅଙ୍କ ସମେତ ଚାରି ଜଣଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ୬୦ ଜଣ ତାଞ୍ଜାନିଆର ଶାନ୍ତି ରକ୍ଷାକାରୀଙ୍କୁ ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଘରକୁ ପଠାଇ ଦିଆଯାଇଥିଲା।

Share